ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଗସ୍ତ

2
47
ଭାରତୀୟ ପ୍ରତ୍ନତତ୍ତ୍ଵ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୪/୧୧) : ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତ କରି ଐତିହାସିକ ରାମଶ୍ୱେର ଓ ଗନ୍ଧରାଢୀ ମନ୍ଦିର ପରିଦର୍ଶନ କରିଛନ୍ତି ।Whatsapp Image 2023 11 13 At 22.39.25

ବୌଦ୍ଧ ସର୍କିଟହାଉସଠାରେ ପ୍ରତିନିଧି ମଣ୍ଡଳୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ଏହି ପ୍ରତିନିଧି ମଣ୍ଡଳୀ ବୌଦ୍ଧ ସହରର କେନ୍ଦ୍ରସ୍ଥଳରେ ଥିବା ସେମାବଂଶୀଙ୍କ ଦ୍ୱାରା ନବମ ଶତାବ୍ଦୀରେ ନିର୍ମିତ ଐତିହାସିକ ରାମେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ନାଲି ଡାଳିମ୍ବ ପଥରରେ ନିର୍ମିତ ଏହି ମନ୍ଦିରର କାରୁକାର୍ଯ୍ୟ ଦେଖି ପ୍ରତ୍ନତତ୍ୱ ବିଭାଗର ପ୍ରତିନିଧିମାନେ ଅଭିଭୁତ ହୋଇଥିଲେ । ସ୍ଥାନୀୟ ବୁଦ୍ଧିଜିବୀ ଓ ମନ୍ଦିର ପୂଜକମାନଙ୍କ ସହିତ ଆଲୋଚନା କରିବାପରେ ଏହି ପ୍ରାଚୀନ ମନ୍ଦିର ର ପାରିପାଶ୍ୱିକ ଉନ୍ନୟନ ଓ ସଂରକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବାକୁ ଆଲୋଚନା କରାଯାଇଥିଲା । ମନ୍ଦିରର ମୂଳ ଢାଞ୍ଚାକୁ କୌଣସି କ୍ଷତି ନପହଞ୍ଚାଇ ଚାରିପଟେ ପାଚେରୀ ନିର୍ମାଣ, ଅର୍ଦ୍ଧ ନିର୍ମିତ ମନ୍ଦିରର ଗର୍ଭଗୃହରେ ବାଲି ଫିଲିଂ ଓ ରକ୍ଷଣାବେକ୍ଷଣ, ଆଲୋକୀକରଣ, ପର୍ଯ୍ୟଟକଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା, ଉଦ୍ୟାନର ବିକାଶ ଓ ଶୌଚାଳୟ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା ।

ମନ୍ଦିର ମଧ୍ୟରେ ବିକ୍ଷିପ୍ତ ଏବଂ ସୂକ୍ଷ୍ମ କାରୁକାର୍ଯ୍ୟର ଏକତ୍ରିକରଣ ଓ ସରଂକ୍ଷଣ କରାଯିବାକୁ ପ୍ରତିନିଧି ମଣ୍ଡଳୀ ପରାମର୍ଶ ଦେଇଥିଲେ । ପରେ ଏହି ପ୍ରତିନିଧି ମଣ୍ଡଳୀ ବୌଦ୍ଧ ରାଜପ୍ରାସାଦ ନିକଟରେ ଅବସ୍ଥିତ ବୁଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ । ସେଠାରୁ ବୌଦ୍ଧ ବ୍ଲକ ଜଗତୀ ସ୍ଥିତ ଗନ୍ଧରାଢୀ ମନ୍ଦିରରେ ପ୍ରତିନିଧିମଣ୍ଡଳୀ ପହଞ୍ଚି ସେବକ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଅଷ୍ଟମ ଶତାବ୍ଦୀରେ ଭଂଜ ବଂଶୀୟ ରାଜାଙ୍କ ଦ୍ୱାରା ନିର୍ମିତ ଏହି ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଏବଂ ଏହାର ଐତିହାସିକ ବିଶେଷତ୍ୱ ସଂପର୍କରେ ଜାଣି ପ୍ରତିନିଧି ମଣ୍ଡଳୀ ଅଭିଭୁତ ହୋଇଥିଲେ । ଗୋଟିଏ ବେଦୀ ଉପରେ ନିର୍ମିତ ଏହି ଦୁଇଟି ପ୍ରାଚୀନ ମନ୍ଦିରରେ ସିଦ୍ଧେଶ୍ୱର ଓ ନୀଳମାଧବ ପୂଜା ପାଉଥିବାବେଳେ ମନ୍ଦିର ଚୂଡାରେ ଶକ୍ତି ଓ ଚକ୍ର ଅବସ୍ଥିତ ।

ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଯେକୌଣସି ପର୍ଯ୍ୟଟକ ଓ ଗବେଷକଙ୍କୁ ଏହି ପ୍ରାଚୀନ କିର୍ତ୍ତିରାଜି ପ୍ରତି ସର୍ବଦା ଆକର୍ଷିତ କରିଥାଏ । ତେବେ ମନ୍ଦିରର ଆବଶ୍ୟକୀୟ ମରାମତି ନେଇ ସେବକମାନେ ପ୍ରତିନିଧି ମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାବ୍ୟତୀତ ମନ୍ଦିର ମଧ୍ୟରେ ଆଲୋକୀକରଣ, ପାନୀୟଜଳ, ଶୌଚାଳୟ, ଉଦ୍ୟାନ ଆଦି ନିର୍ମାଣ କରାଯିବାକୁ ଆଲୋଚନା ହୋଇଥିଲା । ମନ୍ଦିର ଦ୍ୱୟର ସଂରକ୍ଷଣ ଉପରେ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା । ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକ କିଶୋର କୁମାର ବାସା ଓ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରର ସବେକ୍ଷଣ ପ୍ରତ୍ନତତ୍ତ୍ୱବିତ ଡଃ. ସୁଶାନ୍ତ କୁମାର କରଙ୍କୁ ନାଗରିକ କମିଟିର ସମ୍ପାଦକ ତଥା ଗବେଷକ ବିଶ୍ୱେଶ୍ୱର ପୃଷ୍ଟି, ଐତିହାସିକ ରାମେଶ୍ୱର ମନ୍ଦିର ଓ ଗନ୍ଧରାଢୀ ମନ୍ଦିରର ଅବସ୍ଥିତି, ବିଶେଷତ୍ୱ, ଭବିଷ୍ୟତ କାର୍ଯ୍ୟପ୍ରଣାଳୀ ଓ ଏହାର ସଂରକ୍ଷଣର ଆବଶ୍ୟକତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଇଥିଲେ ।

ପ୍ରତିନିଧି ମଣ୍ଡଳୀଙ୍କ ସହିତ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ.ପ୍ରଶାନ୍ତ କୁମାର ମହାପାତ୍ର, ମଡେଲ ଡିଗ୍ରୀ କଲେଜର ଇତିହାସ ବିଭାଗ ଅଧ୍ୟାପକ ଦିବ୍ୟରଂଜନ ତ୍ରିପାଠୀ, ଗନ୍ଧରାଢୀ ମହୋତ୍ସବ ଗବେଷଣା ଅନୁଷ୍ଠାନ ର ସଂପାଦକ ଚତୁର୍ଭୁଜ ଖମାରୀ, ଗବେଷକ ସତ୍ୟ ନାରାୟଣ ପାଣି, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କୁମୁଦ ଚନ୍ଦ୍ର ଦଳବେହେରା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂହ ପ୍ରମୁଖ ସାମିଲ ହୋଇଥିଲେ ।

2 COMMENTS

Comments are closed.