ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁକୁ ନେଇ ରାସ୍ତାରୋକ

0
40
ଅଜଣା ଗାଡି ଧକ୍କାରେ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୧୧) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଛକ ପାଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି ।

ଗତକାଲି ବିଳମ୍ବିତ ରାତିରେ କେନ୍ଦୁମୁଣ୍ଡା ଗାଁ’ର ୨୭ ବର୍ଷୀୟ ପ୍ରଦୀପ ଭୁଏ ନାମକ ଜଣେ ଯୁବକ ତାଙ୍କ ଗାଁ ଛକ ପାଖରେ ଛିଡା ହୋଇ ଥିବା ସମୟରେ ଏକ ଅଜଣା ଗାଡ଼ି ଆସି ପ୍ରଦିପଙ୍କୁ ଧକ୍କା ଦେଇ ଥିଲା । ଫଳରେ ସେ ତଳେ ପଡିଯାଇ ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ସଦର ଜିଲ୍ଲା ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । ଡାକ୍ତର ପ୍ରଦୀପଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଆଜି ଦିନ ୧୦ ଟା ସମୟରେ ପୁଲିସ ପହଞ୍ଚି ଶବର ପଞ୍ଚନାମା କରି ଶବ ବ୍ୟବଛେଦ କରିବା ସହ ଟାଉନ ଥାନାରେ ଏକ ମାମଲା ରୁଜ୍ଜୁ କରି ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି । ପରିବାର ବର୍ଗ ଓ ଗାଁ ଲୋକେ କ୍ଷତିପୂରଣ ଦେବା ଦାବିରେ ରାସ୍ତା ଉପରେ ଶବ ରଖି ଟାୟାର ଜାଳି ଅର୍ଜୁନପୁର – ବୁର୍ଡା ରାସ୍ତାରେ ରାସ୍ତାରୋକ କରିଛନ୍ତି । ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଆନ୍ଦୋଳନରତ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି ।