କୋଟିଏରୁ ଅଧିକ ଟଙ୍କା ହେର୍‌ଫେର୍‌, IDBI ବ୍ୟାଙ୍କ ମ୍ୟାନେଜର ଅଟକ

0
36
କୋଟିଏରୁ ଅଧିକ ଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୧୯/୧୨) : କୋଟିଏରୁ ଅଧିକ ଟଙ୍କା ହେର୍‌ଫେର୍‌ । ଏନେଇ ଅଭିଯୋଗ ପରେ IDBI ବ୍ୟାଙ୍କ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି ନବରଙ୍ଗପୁର ପୁଲିସ୍‌

ଆଜି ଦିନ ତମାମ ତାଙ୍କୁ ଘନଘନ ଜେରା କରୁଥିବା ଜଣାପଡ଼ିଛି । ଡିସେମ୍ୱର ୧ ଓ ୨ ତାରିଖରେ ନବରଙ୍ଗପୁର IDBI ବ୍ରାଞ୍ଚରେ କୋଟିଏରୁ ଅଧିକ ଟଙ୍କା କାରବାର ହୋଇଥିଲା । ଯେହେତୁ କୋଟିଏରୁ ଅଧିକ ଟଙ୍କା କାରବାର ହୋଇଥିଲା, ତେଣୁ ସେହି ଟଙ୍କା IDBI ବ୍ୟାଙ୍କ Vault (ଲକର) ରହିପାରିବ ନାହିଁ। ସେହି ଟଙ୍କାକୁ SBI Currency Chest ରେ ଜମା କରିବାର ନିୟମ ରହିଛି । ତେଣୁ ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ଶତପଥୀ ଟଙ୍କା ଜମା କରିବା ପାଇଁ ନେଇଥିଲେ । ହେଲେ ସେ ସେହି ଟଙ୍କା ଜମା କରିନଥିଲେ । ସେହି ଟଙ୍କାକୁ ସେ ହଡପ୍‌ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପକ୍ଷରେ ଗତ ୧୫ ତାରିଖରେ ବ୍ୟାଙ୍କ କାଗଜପତ୍ର ଯାଞ୍ଚ ବେଳେ କୋଟିଏ ଟଙ୍କା କମ୍‌ ଥିବା ଜଣାପଡିଥିଲା । ଏନେଇ ବ୍ୟାଙ୍କ କର୍ମଚାରୀମାନେ DGM ସ୍ୱରୂପ ଦତ୍ତଙ୍କୁ ଜଣାଇଥିଲେ । ଖବର ପାଇ DGM ସ୍ୱରୂପ ଦତ୍ତ ନବରଙ୍ଗପୁର IDBI ବ୍ୟାଙ୍କକୁ ଆସି ତଦନ୍ତ କରିଥିଲେ। ପରେ ସେ ଏନେଇ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜ୍ଜୁ କରିଥିଲା ।

ଅଭିଯୋଗ ଆଧାରରେ ପୁଲିସ୍‌ ନବରଙ୍ଗପୁର IDBI ବ୍ୟାଙ୍କକୁ ଯାଇ ତଦନ୍ତ କରିଥିଲା । ତଦନ୍ତ ବେଳେ ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ଶତପଥୀଙ୍କ ଉପରେ ସନ୍ଦେହ ହୋଇଥିଲା । ଏହା ପରେ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପକ୍ଷରେ ଏତେ ଗୁଡ଼ିଏ ଟଙ୍କା ହେରଫେରରେ କେବଳ ବ୍ୟାଙ୍କ ମ୍ୟାନେଜରଙ୍କ ହାତ ଅଛି ନା ଅନ୍ୟ କେଉଁ କର୍ମଚାରୀଙ୍କ ହାତ ରହିଛି, ତାହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି । ସେପଟେ ଏନେଇ ପୁଲିସ କିମ୍ବା ବ୍ୟାଙ୍କ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।