ପ୍ରବଳ ବର୍ଷା ପାଇଁ ‘ରାଜ୍ୟ ବିପତ୍ତି’ ଘୋଷଣା କଲେ ସରକାର : ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

0
144

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୬/୦୯) : ରାଜ୍ୟରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରାଜ୍ୟ ସରକାର ଏହି ପ୍ରବଳ ବର୍ଷା ପାଇଁ ‘ରାଜ୍ୟ ବିପତ୍ତି’ ଭାବେ ଘୋଷଣା କରିଛନ୍ତି । ଏହା ସହିତ ଆସନ୍ତା ୨୨ ତାରିଖ ସୁଦ୍ଧା ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ରାଜ୍ୟର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଅନୁଭୂତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ପାଇଁ ରାଜ୍ୟର ଅନେକ ସ୍ଥାନରେ ଧନଜୀବନ ହାନି ହେବା ସହ ଘର, ଚାଷ ଜମି, ପଶୁ ଜନ୍ତୁ ପ୍ରଭାବିତ ହୋଇଛନ୍ତି । ତେଣୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଣ୍ଠିରୁ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସହାୟତା ଯୋଗାଇ ଦେବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ଓଡ଼ିଶା ରିଲିଫ କୋଡ୍ ଅନୁଚ୍ଛେଦ-୩ ଅନୁସାରେ ୩ ଦିନ ଧରି ପ୍ରବଳ ବର୍ଷା ହେଲେ ଅବା ଅନବରତ ବର୍ଷା ଅବାପୁଣି ମାସକର ହାରାହାରି ବର୍ଷା ପରିମାଣ ତୁଳନାରେ ୩ ଗୁଣା ଅଧିକ ବର୍ଷା ବ୍ଲକ ଓ ଅଞ୍ଚଳରେ ହୋଇଥିଲେ ତାକୁ ‘ପ୍ରବଳ ବର୍ଷା’ ଭାବେ ବିବେଚନା କରାଯିବ । ରାଜ୍ୟ ସରକାର ଏହି ‘ପ୍ରବଳ ବର୍ଷା’କୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିସାରିଛନ୍ତି । ତେଣୁ ବର୍ଷା ଯୋଗୁଁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ କ୍ଷୟକ୍ଷତି ନିମନ୍ତେ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଗତିଶୀଳ କରିବା ଓ ରିଲିଫ କାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ କରାଯାଇପାରିବ ।

ତେଣୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରଦାନ କଲେ ପାଣ୍ଠି ଆବଣ୍ଟନ କରାଯାଇପାରିବ ବୋଲି ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ କହିଛନ୍ତି । ଚଳିତମାସ ୨୨ ତାରିଖ ସୁଦ୍ଧା କ୍ଷୟକ୍ଷତି ଆକଳନ ରିପୋର୍ଟ ମିଳିଲେ ପ୍ରଭାବିତ ଲେକାଙ୍କୁ ସହାୟତା ଦିଆ ଯାଇପାରିବ ।

ତେବେ କ୍ଷୟକ୍ଷତି ଆକଳନ ସମୟରେ ଭାଙ୍ଗି ଯାଇଥିବା ଘର ଓ ନଷ୍ଟ ହୋଇଥିବା ଫସଲର ଜିଓ ଟ୍ୟାଙ୍ଗିଙ୍ଗ୍ କରିବା ସହ ଫଟୋଗ୍ରାଫରେ ସମୟ ଉଲ୍ଲେଖ ରଖିବାକୁ କୁହାଯାଇଛି । ଯଦି ଘର ସମ୍ପୂର୍ଣ୍ଣ ଅବା ଅଧିକ ଭାଙ୍ଗିଯାଇଛି, ତେବେ କ୍ଷୟକ୍ଷତି ଆକଳନ ବେଳେ ହିତାଧିକାରୀଙ୍କ ସହ ସେହି ଘରର ଫଟୋ ଉଠାଇବାକୁ ପରାମର୍ଶ ଦିଆଯାଇଛି ।

ଏହାଦ୍ୱାରା ମୃତ ବ୍ୟକ୍ତିଙ୍କ ପରିବାରଜନଙ୍କୁ ଶୀଘ୍ର ଅନୁକମ୍ପାମୂଳକ ସହାୟତା ମଞ୍ଜୁର କରାଯାଇପାରିବ । କ୍ଷୟକ୍ଷତି ସୀମିତ ପରିମାଣରେ ହୋଇଥିବାରୁ ଏସଆରସିଙ୍କ ପାଣ୍ଠିକୁ ଅପେକ୍ଷା ନକରି ଆବଶ୍ୟକ ସହାୟତା ବଣ୍ଟନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ରିପୋର୍ଟ ମିଳିବା ପରେ ହିଁ ଏସଆରସିଙ୍କ ଦ୍ୱାରା ପାଣ୍ଠି ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଘର ନଷ୍ଟ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପଲିଥିନ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।