ଆସନ୍ତା କାଲିଠୁ ମାଟ୍ରିକ ପରୀକ୍ଷା; ଏଥର କପି ଜଗିବ AI କ୍ୟାମେରା

0
56
ଆସନ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, ( ୧୯/୦୨) : ଆସନ୍ତା କାଲିଠୁ ସମଗ୍ର ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ତତ୍ପର ଥିବା ବେଳେ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ । ଏହାଦ୍ୱାରା କପିକୁ ରୋକି ହେବ ବୋଲି ଟାର୍ଗେଟ ରଖାଯାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରାଯିବ। ବୋର୍ଡ ମୁଖ୍ୟଳୟରେ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ତା ଉପରେ ନଜର ରଖାଯିବ ।

ଏହାସହ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV ଲାଇଭ ଷ୍ଟ୍ରିମିଙ୍ଗ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି ।ଆସନ୍ତା କାଲିଠୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ । ସେପଟେ କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲ୍‌କୁ ପଶିବେ ପରୀକ୍ଷାର୍ଥୀ । ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ସାଢ଼େ ୭ରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନେ ପ୍ରବେଶ କରିବେ । ପୂର୍ବାହ୍ନ ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପ୍ରବେଶ ଅନୁମତି ମିଳିବନାହିଁ ।

କେବଳ ସେତିକି ନୁହେଁ ଏଥର ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ରହିବେ ପର୍ଯ୍ୟବେକ୍ଷକ । ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ସରି ଉତ୍ତରଖାତା ଯିବା ପର୍ଯ୍ୟନ୍ତ ଟିକିନିଖି ତଦାରଖ କରିବେ । ବିଇଓ, ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ ରହିବ । କେବଳ ଏତିକି ନୁହେଁ, ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଏନେଇ ବୋର୍ଡ କର୍ତ୍ତୃପକ୍ଷ ନିହାର ରଞ୍ଜନ ମହାନ୍ତି କହିଛନ୍ତି, ଗତବର୍ଷ ପର୍ଯ୍ୟନ୍ତ ପିଲାମାନେ ୮ଟାରେ ପ୍ରବେଶ କରୁଥିଲେ। କିନ୍ତୁ ଚଳିତ ବର୍ଷ ସାଢେ ୭ଟାରେ ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ରର ଗେଟ୍‌ ଖୋଲାଯିବ । ପୂର୍ବାହ୍ନ ୮ଟା୧୫ ମଧ୍ୟରେ ପିଲାମାନେ ହଲ୍‌ରେ ପ୍ରବେଶ କରିବେ । ଏହାପରେ ଗେଟ୍‌ ସାମୟିକ ଭାବେ ବନ୍ଦ କରାଯିବ । ଏହାପରେ ଯେଉଁ ପରିକ୍ଷାର୍ଥୀ ଆସିବେ ସେମାନଙ୍କୁ ପୂରା ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯିବ । ଏଥର ପିଲା କଥା ଛାଡ଼ କୌଣସି କର୍ମଚାରୀ ବି ମୋବାଇଲ ଭିତରକୁ ନେଇ ପାରିବେନି। ତେଣୁ ଏଥର ଭାଇରାଲ ହେବାର ସମ୍ଭାବନା କମ୍‌ ରହିବ ବୋଲି ଦୃଢ ଆଶା ବ୍ୟକ୍ତ କରୁଛୁ ।