୫୦ ଲକ୍ଷ ପାଇଁ ପୁଅ ପାଲଟିଗଲା ଜହ୍ଲାଦ; ନେଇଗଲା ମା’ର ଜୀବନ

0
53
୫୦ ଲକ୍ଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଉତ୍ତରପ୍ରଦେଶ, (୨୨/୦୨) : ଅର୍ଥ ଲୋଭ ହେଲା କାଳ । ୫୦ ଲକ୍ଷ ପାଇଁ ପୁଅ ନେଇଗଲା ଜନ୍ମ କଲା ମା’ର ଜୀବନ

ଯେଉଁ ମା’ କଷ୍ଟ ସହି ଦୁନିଆର ଆଲୋକ ଦେଖାଇଥିଲା, ୫୦ ଲକ୍ଷ ଟଙ୍କା ପାଇଁ ତା’ ଜୀବନ ନେବାକୁ ପଛାଇଲା ନାହିଁ । ପ୍ରମାଣ ନଷ୍ଟ ପାଇଁ ହତ୍ୟା ପରେ ମା’ ମୃତଦେହକୁ ବସ୍ତାରେ ପୂରାଇ ନଦୀ କୂଳରେ ଫୋପାଡ଼ି ଦେଲା । ମାତ୍ର ଘଟଣାର ଛାନଭିନ କରି ଏପରି ନରରାକ୍ଷାସ ପୁଅକୁ ବାନ୍ଧିଛି ପୁଲିସ୍‌ । ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଘଟିଛି ।

ଫତେହପୁର ଜିଲ୍ଲାର ଏକ ଗାଁ’ରେ ରୋଶନ ସିଂ ନିଜ ପତ୍ନି ଓ ପୁଅ ହିମାଂଶୁ ସହ ରହୁଥିଲେ । ହିମାଂଶୁ ନିଜ ବାପାମା’ଙ୍କ ନାଁରେ ୫୦ ଲକ୍ଷ ଟଙ୍କା ଲେଖାଏଁର ବୀମା କରିଥିଲେ। ଉଭୟ ପଲିସିରେ ସେ ନୋମିନି ପଡ଼ିଥିବା ବେଳେ କାଗଜପତ୍ର ନିଜ ପାଖରେ ରଖିଥିଲେ ।

ମା’ ନାଁରେ ଥିବା ବୀମା ରାଶି ହାତେଇବା ନିମନ୍ତେ ହିମାଂଶୁ ପ୍ରଥମେ ମା’କୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏଥିପାଇଁ ସୁଯୋଗ ଅପେକ୍ଷାରେ ଥିଲା।ଘଟଣା ଦିନ ରୋଶନ ସିଂ ଘରେ ନ ଥିବା ବେଳେ ହିମାଂଶୁ ନିଜ ମା’ର ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ସବୁ ପ୍ରମାଣ ନଷ୍ଟ ପାଇଁ ନିଜର ଦୁଇ ସାଙ୍ଗଙ୍କ ସହ ମା’ ମୃତଦେହକୁ ଏକ ବସ୍ତାରେ ପୂରାଇ ନଦୀ କୂଳରେ ଫୋପାଡ଼ି ଦେଇ ଘରକୁ ଫେରିଥିଲା ।

ରୋଶନ ସିଂ ଫେରିବା ପରେ ପତ୍ନୀଙ୍କୁ ଖୋଜି ପାଇ ନ ଥିଲେ। ନିଜ ପୁଅକୁ ଏ ସମ୍ପର୍କରେ ପଚାରିଥିଲେ ବି ସେ କିଛି କହି ନ ଥିଲା। ଏହାପରେ ସନ୍ଦେହ ହେବାରୁ ସେ କିଛି ଲୋକଙ୍କୁ ଧରି ନଦୀ କୂଳକୁ ଯାଇଥିଲେ । ସେଠାରେ ଏକ ବସ୍ତା ପଡ଼ିଥିବା ଦେଖି ଗ୍ରାମବାସୀ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ପହଞ୍ଚି ବସ୍ତା ଖୋଲିବା ବେଳକୁ ତା’ ଭିତରେ ଜଣେ ମହିଳାଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲା । ତାହା ନିଜ ପତ୍ନୀଙ୍କ ମୃତଦେହ ବୋଲି ରୋଶନ ସିଂ ଚିହ୍ନଟ କରିଥିଲେ ।

ପୁଲିସ୍‌ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ହିମାଂଶୁଙ୍କୁ ପଚରାଉଚରା କରିବାରୁ ସେ ସବୁ ସତ ମାନି ଯାଇଥିଲେ । ବୀମା ରାଶି ହାତେଇବା ନିମନ୍ତେ ସେ ନିଜ ମା’ର ହତ୍ୟା କରିଥିବା ସ୍ୱୀକାର କରିଥିଲେ । ପୁଲିସ୍‌ ତୁରନ୍ତ ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ବେଳେ ତା’ର ଦୁଇ ସାଙ୍ଗଙ୍କୁ ଖୋଜୁଛି । ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।