ଲାଞ୍ଚ ନେଇ ଧରାପଡ଼ିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ କିରାଣି

0
48
ଲାଞ୍ଚ ନେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୨/୦୩) : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଜଳସମ୍ପଦ ବିଭାଗ CAD ଡିଭିଜନ ନଂ-୮ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ ସେହି ଅଫିସର କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା ।

ଜଣେ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଏହି ଦୁଇ ଅଧିକାରୀଙ୍କୁ ଧରିଥିଲା ଭିଜିଲାନ୍ସ । ଅଭିଯୋଗକାରୀ ଜଣେ ଗାଡ଼ି ମାଲିକ । ତାଙ୍କ ଗାଡ଼ି ଏହି ଅଫିସରେ ଭଡ଼ାରେ ଲାଗିଛି । ଗାଡ଼ି ଭଡ଼ା ବାବଦ ତାଙ୍କର ବକେୟା ବିଲ୍ ଗୁଡ଼ିକୁ କ୍ଲିୟର କରି ଦେବା ପାଇଁ ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ । ଆଜି ଅଭିଯୋଗକାରୀ ଲାଞ୍ଚ ଟଙ୍କାକୁ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ଦେଇଥିଲେ । ସେହି ସମୟରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ସେଠାରେ ଉପସ୍ଥିତ ଥିଲେ । ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ କରି କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା ସମସ୍ତ ଲାଞ୍ଚ ଅର୍ଥ ଜବତ କରିଥିଲେ ।

ଲାଞ୍ଚ ନେଇ ଧରାପଡ଼ିବା ପରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇଙ୍କ ତିନିଟି ଠିକଣାରେ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଦୁଇ ଅଧିକାରୀ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ।