ଖାଲି ହାତରେ ଫେରିଲା ସିବିଆଇ, ସମର୍ପଣ କଲାନି ପଶ୍ଚିମବଙ୍ଗ ପୁଲିସ୍

0
41
ଖାଲି ହାତରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋଲକାତା, (୦୬/୦୩) : କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନଙ୍କୁ ପଶ୍ଚିମବଙ୍ଗ ପୁଲିସର ସିଆଇଡି ସିବିଆଇକୁ ହସ୍ତାନ୍ତର କରିନାହିଁ ।

ଖାଲି ହାତରେ ଫେରିଲା ସିବିଆଇ, ସମର୍ପଣ କଲାନି ପଶ୍ଚିମବଙ୍ଗ ପୁଲିସ୍ । ଶେଖଙ୍କୁ ହେପାଜତକୁ ନେବା ପାଇଁ ସିବିଆଇ ଟିମ୍ ଅର୍ଦ୍ଧସାମରିକ ବାହିନୀ (ସିଆରପିଏଫ) ସହ କୋଲକାତାର ସିଆଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ମଧ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା । ହାଇକୋର୍ଟଙ୍କ ରାୟ ବିରୋଧରେ ପଶ୍ଚିମବଙ୍ଗର ମମତା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁପ୍ରିମକୋର୍ଟରେ ବୁଧବାର (ମାର୍ଚ୍ଚ ୬, ୨୦୨୪) କୋର୍ଟ ଏହି ମାମଲାର ଶୁଣାଣି କରିବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି ମଙ୍ଗଳବାର ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରିବାକୁ ଦାବି କରିଛନ୍ତି ।

ଶେଖ୍ ଶାହାଜାହାନଙ୍କୁ ଗତ ସପ୍ତାହରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନର ଏକ ଘରୁ ଗିରଫ କରାଯାଇଥିଲା । ତା ବିରୋଧରେ ଦାଦାବଟି ଆଦାୟ, ଜମି ଜବରଦଖଲ ଓ ଯୌନ ନିର୍ଯାତନା ଆଦି ଗୁରୁତର ଅଭିଯୋଗ ରହିଛି । ସେପଟେ ଇଡି ଶାହଜାହାଁର ଏକ ଆପାର୍ଟମେଣ୍ଟ, ଜମି ସମେତ ୧୨.୭୮ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି ।