ବରଗଡ଼ ରେ ଫାଇନାନ୍ସ କମ୍ପାନୀର ମହାଠକେଇ

0
64
ବରଗଡ଼

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୧୦/୦୩) : ସାଧାରଣ ଗରିବ ଲୋକଙ୍କଠାରୁ ଛଳନା ପୂର୍ବକ ଦସ୍ତଖତ ଓ ଫିଙ୍ଗରପ୍ରିଣ୍ଟ ନେଇ ତାଙ୍କ ନାଁରେ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କାର ଲୋନ

ଖୋଦ କମ୍ପାନୀ କର୍ମଚାରୀ ମଧ୍ୟ ଠକେଇ ହୋଇଥିବା ମାନୁଛନ୍ତି । ଏବେ ନଜର ପକାନ୍ତୁ ଏମାନଙ୍କ ଉପରେ। ଇଏ ହେଉଛନ୍ତି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅର୍ଜୁଣ୍ଡା ଗାଁର ମହିଳା । ଏମାନେ ଭାରତ ଫାଇନାନ୍ସ ନାମକ ସଂସ୍ଥାରୁ ଲୋନ କରିନାହାଁନ୍ତି, ତଥାପି କାହା ନାଁରେ ଲକ୍ଷେ ତ ଆଉ କାହା ନାଁରେ ଉଠିଛି ୬୦-୭୦ ହଜାର ଟଙ୍କାର ଋଣ । ଏହିପରି ଲୁଟ୍ ହୋଇଛି ମୋଟ୍ ୨ କୋଟି ୪୯ ଲକ୍ଷ ୩୭ ହଜାରରୁ ଅଧିକ ଟଙ୍କା । ଇଏ ତ କେବଳ ଭାତ ହାଣ୍ଡିରୁ ଗୋଟିଏ ଭାତ । ଭେଡେନ ବ୍ଲକର ରେମଣ୍ଡା, ଧରେଇଟିକ୍ରା, ବାଘପାଲି ଆଦି ଅନେକ ଗାଁରେ ମହିଳାଙ୍କ ନାଁରେ ତାଙ୍କ ଅଜାଣତରେ କରାଯାଇଛି ଅନେକ ଋଣ । ଯାହାଫଳରେ ଅନ୍ୟ କୌଣସି ସଂସ୍ଥାରୁ ଋଣ ପାଇବାକୁ ଏବେ ଏମାନେ ଅଯୋଗ୍ୟ। ବରଗଡ଼ର ଭେଡେନ ଠାରେ ଥିବା ଏହି ଭାରତ ଫାଇନାନ୍ସ ନାମକ ସଂସ୍ଥା ନକଲି ଲୋନ୍ ଆକାଉଣ୍ଟ ପ୍ରସ୍ତୁତ କରି ପଖାପାଖି ଅଢେଇ କୋଟି ଟଙ୍କା ଉଠାଇଛି ।

ଏବେ ନଜର ପକାନ୍ତୁ ମୁଖ୍ୟ କାରପଟଦାର ଉପରେ । ଭେଡେନ ବ୍ଲକ ରେମଣ୍ଡା ଗାଁ’ର ଗଣେଶ ସାଥୁଆ ନାମକ ବ୍ୟକ୍ତି ନେଇଥିଲା ଏମାନଙ୍କ ଦସ୍ତଖତ ଓ ଫିଙ୍ଗରପ୍ରିଣ୍ଟ। ସରକାର ଲୋନ ଦେଉଛନ୍ତି ଆଉ ଏଥିପାଇଁ ଫିଙ୍ଗରପ୍ରିଣ୍ଟର ଆବଶ୍ୟକ ଥିବା କହି ବାର ବାର୍ ଏମାନଙ୍କ ଘରକୁ ଆସିଥିଲା ଗଣେଶ । ମହିଳାମାନେ ମନା କରିବାରୁ ଆଉ କେବେ ଲୋନ ମିଳିବ ନାହିଁ ବୋଲି କହି ସାଧାରଣ ଗରିବ ମହିଳାଙ୍କ ମନରେ ଭୟ ଜନ୍ମାଇଥିଲା ଠକ ଗଣେଶ । ଆଉ ଶେଷରେ ଗଣେଷର ଜାଲରେ ପଡି ଫିଙ୍ଗରପ୍ରିଣ୍ଟ ଦେଇଥିଲେ ଏହି ମହିଳା । ସବୁଠାରୁ ବଡ଼ କଥା ଠକାମି କରି ଟଙ୍କା ଲୁଟ୍ କଥା ନିଜେ ସ୍ବୀକାର କରୁଛି ଠକ ଗଣେଶ ।

ଏହାସହ ରେମଣ୍ଡା ଗାଁ’ର ସୁରଜ ପ୍ରଧାନ, ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗାଁ’ର କମଲ କୁମାର ବାଦୀ ଓ ସୁଶାନ୍ତ ମହାକୁଡ ମୁଖ୍ୟ ଲୁଟେରା ବୋଲି କହିଛି ଗଣେଶ ସାଥୁଆ । ଏପଟେ ପୋଲିସର ଭୂମିକା ନେଇ ମଧ୍ୟ ବଢ଼ୁଛି ସନ୍ଦେହ। ଠକାମିର ଶିକାର ହୋଇଥିବା ମହିଳାଙ୍କ ଏତଲା ସତ୍ବେ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ତାକୁ ନେଇ ଉଠୁଛି ପ୍ରଶ୍ନ । ଋଣ ନାଁ’ରେ ଏଭଳି ଠକେଇ କେବଳ ଭେଡେନ ବ୍ଲକରେ ସୀମିତ ନାହିଁ । ବରପାଲ ବ୍ଲକ ଏବଂ ସୋନପୁର ଜିଲ୍ଲାର କିଛି ବ୍ଲକରୁ ମଧ୍ୟ ଆସୁଛି ଏଭଳି ଅଭିଯୋଗ । ତେବେ କେବେ ପୋଲିସ ସକ୍ରିୟ ହୋଇ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବ ଏବଂ କେବେ ପ୍ରକୃତ ଦୋଷୀ ଆଇନର କାଠଗଡ଼ାକୁ ଟଣା ହେବେ ତାକୁ ହିଁ ଅପେକ୍ଷା ।