ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ

0
66
ଆଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୫/୦୩) : ଆଜି ପବିତ୍ର ଦୋଳପୂର୍ଣ୍ଣିମା।‌ ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ।

ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ଭାଗ୍ୟରେ ଥିଲେ ମିଳିଥାଏ ବୋଲି ବିଶ୍ଵାସ ରହିଛି କାରଣ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଯାତ୍ରା ହେଉଛି ଦୋଳଯାତ୍ରା ବା ଦୋଳପୂର୍ଣ୍ଣିମା । ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ ପ୍ରତିପଦା ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଶ୍ରୀମନ୍ଦିରରେ ଦୋଳଉତ୍ସବ ଓ ଦୋଳଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୩ ଟାରେ ଦ୍ୱାର ଫିଟା, ୪ଟାରେ ମଙ୍ଗଳ ଆଳତୀ ପରେ ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହୋଇ ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେବେ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇଁ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନରେ ବିଜେ କରି ଶ୍ରୀମନ୍ଦିର ବେଢ଼ା ସାତଥର ପ୍ରଦିକ୍ଷଣ କରିବେ । ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନି ସହ ଫଗୁ, ଅବିର ଖେଳ ମଧ୍ୟରେ ଠାକୁରଙ୍କ ବିମାନ ଦୋଳବେଦୀକୁ ବିଜେ କରି ଦୋଳବେଦୀ ତଳେ ଓ ଉପରେ ସାତଘେରା ଲେଖାଏଁ ପ୍ରଦକ୍ଷଣ କରିବା ପରେ ଦୋଳରେ ବସି ଝୁଲିବେ । ଏହାପରେ ଦୋଳବେଦୀରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନୀତିକାନ୍ତି ପାଇଁ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବେଶ଼ ଗୁରୁତ୍ୱ ଦିଆଯାଇଛି ।