ଖେଳଣା ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ କରୁଥିଲେ, ମାଡ଼ି ବସିଲା ପୁଲିସ୍‌

0
51
ଖେଳଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୧/୦୩) : ଖେଳଣା ବନ୍ଧୁକ ଦେଖାଇ ରାଜପଥରୁ ଲୁଟ୍‌ ପାଇଁ ଉଦ୍ୟମ କରୁଥିଲେ । ହେଲେ ତା’ ପୂର୍ବରୁ ମାଡ଼ି ବସିଲା ପୁଲିସ୍‌ ।

୬ ପେସାଦାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ।ସହିଦ୍‌ନଗର ଥାନା ଶାନ୍ତିପଲ୍ଲୀ ବସ୍ତିର ରେଳ ଧାରଣା ପାର୍ଶ୍ୱରେ ୬ ପେସାଦାର ଲୁଟେରା ବସି ଲୁଟ୍‌ ପାଇଁ ପ୍ଲାନ୍‌ କରୁଥିଲେ । ରାତିରେ ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍‌ ଗୁଡ଼ିକୁ ଅଟକାଇ ଲୁଟ୍‌ ପାଇଁ ଯୋଜନା କରୁଥିଲେ । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଥାନାକୁ ଖବର ଦେଇଥିଲେ । କମିଶନରେଟ୍‌ ପୁଲିସ୍‌ ଉକ୍ତ ସ୍ଥାନରେ ଚଢ଼ଉ କରି ଲିଙ୍ଗରାଜ ଭୂୟାଁ, ବୁଲୁ ପଲେଇ, କାର୍ତ୍ତିକ ମଣ୍ଡଳ, ସତ୍ୟବ୍ରତ ଭୋଇ,ଏମ୍‌ଡି କାଦିର ଓ ତତ୍ତ୍ୱମସି ପ୍ରଧାନଙ୍କୁ ଅଟକ ରଖି ଜେରା କରୁଥିଲେ ।

ଜେରା ବେଳେ ସେମାନେ ସବୁ କଥା ସ୍ୱୀକାର କରିଥିଲେ । ରାଜପଥରୁ ଲୁଟ୍‌ ପାଇଁ ଯୋଜନା କରୁଥିବା ମାନିଥିଲେ । ଏହାପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ଗୋଟିଏ ତେଲେଙ୍ଗା କଟୁରୀ, ଗୋଟିଏ ଖେଳଣା ବନ୍ଧୁକ, ୩ଟି ଲୁହା ରଡ୍‌ ପ୍ରମୁଖ ଜବତ କରିଥିଲା । ଗିରଫ ଅଭିଯୁକ୍ତଙ୍କ ନାଁ’ରେ ବହୁ ମାମଲା ରହିଛି । ଲିଙ୍ଗରାଜ ଭୂୟାଁଙ୍କ ନାଁ’ରେ ୮ଟି ମାମଲା ଥିବା ବେଳେ ବୁଲୁ ପଲେଇ ନାଁ’ରେ ୩ଟି, କାର୍ତ୍ତିକ ମଣ୍ଡଳ ନାଁ’ରେ ୬ଟି, ସତ୍ୟବ୍ରତ ଭୋଇ ନାଁ’ରେ ୩ଟି, ଏମ୍‌ଡି କାଦିର ନାଁ’ରେ ଗୋଟି ଓ ତତ୍ତ୍ୱମସି ପ୍ରଧାନଙ୍କ ନାଁ’ରେ ୨ଟି ମାମଲା ଥିବା ପୁଲିସ୍ କହିଛି ।