କନ୍ୟା ରତ୍ନ ବିଦେଶ ମାଟିରେ ଚମକିଲେ ସୋନପୁରର ୩ ଝିଅ

0
26
କନ୍ୟା ରତ୍ନ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୪) : ଝିଅ ଜନମ ଆଉ ଚୁଲି ମୁଣ୍ଡକୁ ନୁହେଁ, ଝିଅ ଜନମ ଅନ୍ତର୍ଜାତୀୟ ସ୍ତରରେ ନାଁ ରଖିବାକୁ । ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରି ଝିଅ ମାନେ କନ୍ୟା ରତ୍ନ ସାଜୁଛନ୍ତି ।

ଏଭଳି ସୋନପୁର ମାଟିର ତିନି କନ୍ୟା ରତ୍ନ ବିଦେଶ ମାଟିରେ ଚମକିଛନ୍ତି । କେବଳ ଯେ ସୋନପୁର ନୁହେ ରାଜ୍ୟ ଏବଂ ଦେଶ ପାଇଁ ସୁନାମ ଆଣିଛନ୍ତି । ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଅନୁଷ୍ଠିତ ମଡେଲିଂ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ସୋନପୁରର ତିନି ଝିଅ ବିଭିନ୍ନ ବିଭାଗରେ ବିଜେତା ଘୋଷଣା ହୋଇଛନ୍ତି । ଏପ୍ରିଲ ୧ ତାରିଖରେ କାଠମାଣ୍ଡୁର ପାଲାଜୋ ହଟେଲ୍‌ରେ ଉକ୍ତ ପ୍ରତିଯୋଗିତାର ଫାଇନାଲ୍ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । ଏହି ମେଗା ଇଭେଣ୍ଟରେ ୧୦ଟି ଦେଶର ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବିଭିନ୍ନ ସ୍ତରରେ ଉତ୍ତମ ପ୍ରଦର୍ଶନ କରି ମୋଟ ୯ଟି ବିଭାଗ ମଧ୍ୟରୁ ୩ଟି ବିଭାଗରେ ସୋନପୁରର ଉକ୍ତ ତିନି ଝିଅ ବିଜେତା ହୋଇଛନ୍ତି ।

ସୋନପୁର ପଟାଭାଡି ନିବାସୀ ବିଶ୍ୱବିଜୟିନୀ ମିଶ୍ରଙ୍କୁ ମିସ୍ ଟିନ୍ ଗ୍ଲୋବାଲ୍ ଇଣ୍ଟରନେସନାଲ୍ ତାଜ୍ ମିଳିଛି । ସେହିପରି ମାଣିକେଶ୍ୱରୀ ପ୍ଲଟ୍ ନିବାସୀ ସୁଚିସ୍ମିତା ବେହେରା ମିସ୍ ପ୍ରିଟିନ୍ ଗ୍ଲୋବାଲ୍ ଇଣ୍ଟରନେସନାଲ୍ ୨୦୨୪ ଘୋଷିତ ହୋଇଛନ୍ତି । କନିଷ୍ଠ ବିଭାଗରେ ବଡବଜାରର ହର୍ଷିତା ରଞ୍ଜନଙ୍କୁ ଲିଟିଲ୍ ମିସ୍ ଗ୍ଲୋବାଲ୍ ଇଣ୍ଟରନେସନାଲ୍ ମଡେଲ୍ ଘୋଷିତ ହୋଇଛନ୍ତି । ଅନ୍ତର୍ଜାତୀୟ ସ୍ତରର ସୁନାମଧନ୍ୟ ମଡେଲ୍ ଯୋଗଦେଇ ବିଜେତା ପ୍ରତିଯୋଗୀଙ୍କୁ ତାଜ୍ ପ୍ରଦାନ କରିଥିଲେ । ସୋନପୁରର ଝିଅ ବିଦେଶ ମାଟିରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବାରୁ ଏହି ପ୍ରତିଯୋଗୀ ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟୁଛି ।