ଚେନ୍ନାଇ କୁ ହରାଇଲା ହାଇଦ୍ରାବାଦ; ସୁପର କିଙ୍ଗ୍ସର କ୍ରମାଗତ ଦ୍ୱିତୀୟ ପରାଜୟ

0
52
ଚେନ୍ନାଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୬/୦୪) : ଚଳିତ ଆଇପିଏଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସର କ୍ରମାଗତ ଦ୍ୱିତୀୟ ପରାଜୟ ।

ଚେନ୍ନାଇ କୁ ହରାଇଲା ହାଇଦ୍ରାବାଦ । ୧୮ତମ ଲିଗ୍ ମୁକାବିଲାରେ ଦିଲ୍ଲୀଠାରୁ ହାରିଥିବା ବେଳେ ଗତକାଲିର ମ୍ୟାଚରେ ହାଇଦ୍ରାବାଦଠୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ୧୬୫ ରନ୍ କରିଥିବା ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇକୁ ଅତି ସହଜରେ ମାତ୍ ଦେଇଛି ସନ୍ ରାଇଜର୍ସ ହାଇଦ୍ରାବାଦ । ଘରୋଇ ଗ୍ରାଉଣ୍ଡରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ହାଇଦ୍ରାବାଦ । ସୁପର କିଙ୍ଗସ୍ ପକ୍ଷରୁ ଋତୁରାଜ ଗାଏକ୍ୱାଡ ଏବଂ ରଚିନ ରବିନ୍ଦ୍ର ପାଳି ଆରମ୍ଭ କରିଥିଲେ । ହେଲେ ଆରମ୍ଭରୁ ଘାତକ ବୋଲିଂ କରିଥିଲେ ରାଇଜର୍ସ ବୋଲର୍ । ମାତ୍ର ୧୨ ରନ୍ କରିଥିବା ବେଳେ ଓପନର ରଚିନଙ୍କୁ ପାଭିଲିଅନ ରାସ୍ତା ଦେଖାଇଥିଲେ ଭୁବନେଶ୍ୱର କୁମାର ।

ତାଙ୍କ ପରେ ଗାଏକ୍ୱାଡଙ୍କ ସାଥ୍ ଦେଇଥିଲେ ଅଜିଙ୍କ୍ୟ ରାହାଣେ । ଉଭୟ ଜଗି ରଖି ପାଳିକୁ ଆଗେଇ ନେଇ ଚାଲିଥିଲେ । ହେଲେ ହାଇଦ୍ରାବାଦ ଚତୁରତାର ସହ ବୋଲିଂ କରି ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ । ଦଳୀୟ ସ୍କୋର୍ ୫୪ ହୋଇଥିବା ବେଳେ ୨୬(୨୧) ରନ୍ କରି ଆଉଟ୍ ହୋଇଥିଲେ ଋତୁରାଜ । ଏହାପରେ ଶିବମ ଦୁବେ ଚିରାଚରିତ ଢଙ୍ଗରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ରାହାଣେ ମଧ୍ୟ ତାଙ୍କ ସାଥ୍ ଦେଇଥିଲେ । ଉଭୟଙ୍କ ଭାଗିଦାରୀରେ ୧୩.୪ ଓଭର ବେଳକୁ ଦଳୀୟ ସ୍କୋର୍ ୧୧୯ରେ ପହଞ୍ଚିଥିଲା । ଶିବମଙ୍କ ଚୌକା-ଛକା ବର୍ଷା ଦେଖି ଲାଗୁଥିଲା ଚେନ୍ନାଇ ବିଶାଳ ସ୍କୋରର ଟାର୍ଗେଟ ଦେବ । ହେଲେ ଏକ ଖରାପ ଶର୍ଟ ଖେଳି ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ ଦୁବେ । ସେ ୪୫(୨୪) ରନ୍ କରି ଆଉଟ୍ ହୋଇଥିଲେ ।

ଏହାପରେ ଧିମେଇ ଯାଇଥିଲା ରନ୍ ରେଟ୍ । ଶିବମଙ୍କ ପରେ ପରେ ରାହାଣେ ୩୫(୩୦), ଡାରେଲ ମିଚେଲ ୧୩(୧୧) ରନ୍ କରି ଆଉଟ୍ ହୋଇଥିଲେ । ଅପରାଜିତ ଥିବା ରବିନ୍ଦ୍ର ଜାଡେଜା ୩୧(୨୩) ଏବଂ ଏମଏସ ଧୋନି ୨ଟି ବଲ୍ ଖେଳି ଗୋଟିଏ ରନ୍ ସଂଗ୍ରହ ରହିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରିଥିଲା ଚେନ୍ନାଇ । ଟାର୍ଗେଟକୁ ପିଛା କରି ରାଇଜର୍ସ ଟିମ୍ ସହଜ ବିଜୟ ହାସଲ କରିନେଇଛି ।

ଦଳ ପକ୍ଷରୁ ଏଡେନ ମାକ୍ରମ ସର୍ବାଧିକ ୫୦(୩୬) ରନ୍ କରିଥିଲେ। ହେଲେ ବିସ୍ଫୋରକ ବ୍ୟାଟିଂ କରିଥିବା ଅଭିଷୋକ ଶର୍ମାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ସେ ୧୨ ବଲରେ ୩୭ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ ହେଡ୍ ୩୧(୨୪), ଶେହବାଜ ଅହମଦ ୧୮(୧୯) କରି ଆଉଟ୍ ହୋଇଥିବା ବେଳେ ହେନରିଚ କ୍ଲାସେନ ୧୦(୧୧), ନିତିଶ ରଡ୍ଡି ୧୪(୮) ରନ୍ କରି ଅପରାଜିତ ରହିଥିଲେ ।