ଖୋର୍ଦ୍ଧା ଜିଲ୍ଲାରେ ବଦଳିଲା ସକାଳୁଆ ସ୍କୁଲର ସମୟ, ଶୀଘ୍ର ହେବ ଛୁଟି

0
28
ଖୋର୍ଦ୍ଧା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୦୬/୦୪) : ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ଚାଲିବ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

ଜିଲ୍ଲାର ସମସ୍ତ ସରକାରୀ, ଘରୋଇ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ ଯାଏଁ ଚାଲିବ । ସେହିପରି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ିଗୁଡ଼ିକୁ ମଧ୍ୟ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ମଧ୍ୟରେ ଖୋଲିବାକୁ କୁହାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ସାରା ରାଜ୍ୟରେ ଆଜି ଭୁବନେଶ୍ୱରରେ ସବୁଠୁ ଅଧିକ ଖରା ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି ।

ସେହିପରି ଅନୁଗୋଳ, ଝାରସୁଗୁଡ଼ା, ତାଳଚେର, ଟିଟିଲାଗଡ଼, ମାଲକାନଗିରି, ନୟାଗଡ଼, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଆଜି ତାପମାତ୍ରା ୪୨ ଡିଗ୍ରୀ ବା ଏହା ଉପରେ ରେକର୍ଡ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ଆସନ୍ତା ଦୁଇ ଦିନ ରାଜ୍ୟର କିଛି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ବଢ଼ିପାରେ । ତା’ ପରବର୍ତ୍ତୀ ୩ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨ରୁ ସ୍କୁଲଗୁଡ଼ିକୁ ସକାଳୁଆ ଘୋଷଣା କରିଥିଲେ। ସକାଳ ୭ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କ୍ଲାସ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଥିଲା ।