ଦମ୍ପତିଙ୍କ ଠାରୁ ସୁନାଗହଣା ନେଇ ଚମ୍ପଟ ମାରିଥିଲେ, ଜେଲ ଗଲେ ୩ ଲୁଟେରା

0
29
ଦମ୍ପତିଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୧୫/୦୪) : କଳା ପଲସରରେ ଆସି ଦମ୍ପତିଙ୍କ ଠାରୁ ସୁନାଗହଣା ନେଇ ଚମ୍ପଟ ମାରିଥିଲେ। ଧରାପଡ଼ି ଜେଲ ଗଲେ ୩ ଲୁଟେରା । ନୟାଗଡ଼ ଜିଲ୍ଲାରେ ଏପରି ଘଟଣା ଘଟିଛି ।

ଗିରଫ ୩ ଲୁଟେରା ହେଲେ ଇଟାମାଟି ଅଞ୍ଚଳର ଚନ୍ଦନ ବେହେରା, ଶିବା ସେଠୀ ଓ ତରୁଣ ଘଡେଇ । ପୁଲିସ ସେମାନଙ୍କଠାରୁ ଲୁଟ ହୋଇଥିବା ସାମଗ୍ରୀ ଜବତ କରିଛି । ସୂଚନା ଅନୁସାରେ, ଇଟାମାଟି ଥାନା ଭୁତଡି ଗ୍ରାମର ଶରତ କୁମାର ପ୍ରଧାନ ଓ ତାଙ୍କ ସ୍ତ୍ରୀ ରଶ୍ମିତା ପ୍ରଧାନ ନୂଆଗାଁ ଥୁଆବାରି ଗ୍ରାମକୁ ବାଇକରେ ଯାଉଥିଲେ । ଏହି ସମୟରେ କଳା ପଲସରରେ ଆସି ୩ ଜଣ ଲୁଟେରା ରଶ୍ମିତା ପିନ୍ଧିଥିବା ସୁନା ହାରକୁ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ । ଉଭୟ ପତିପତ୍ନୀ ତଳେ ପଡ଼ିଯାଇଥିଲେ ।

ପରେ ଲୁଟେରାମାନେ ସେମାନଙ୍କଠାରୁ ଭ୍ୟାନିଟ୍ ବ୍ୟାଗ୍, ନଗଦ ଟଙ୍କା, ଏକ ମୋବାଇଲ ଓ ସୁନା ହାର ନେଇ ଚମ୍ପଟ ମାରିଥିଲେ । ଏନେଇ ରଶ୍ମିତାଙ୍କ ସ୍ୱାମୀ ନୟାଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରିବା ସହ ୩ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏହାସହ ସେମାନଙ୍କ ଠାରୁ ଏକ ପଲ୍‌ସର, ଭ୍ୟାନିଟ ବ୍ୟାଗ୍, ମୋବାଇଲ, ସୁନା ଗହଣା ଓ ୧୦ ହଜାର ଟଙ୍କା ଜବତ କରିଛି । ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।