ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି : ୩ ଘଣ୍ଟା ଯାଏଁ ରହିବ ପ୍ରଭାବ

0
154

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୭/୦୯) : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଧିରେ ପବନର ବେଗ ବଢିବା ସହ ବର୍ଷା ଆରମ୍ଭ ହୋଇଯାଇଛି । ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲା ଆଇଏମ୍ଡି ।

ଆଇଏମ୍ଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ ଘଣ୍ଟା ଧରି ଚାଲିବ । କଳିଙ୍ଗପଟ୍ଟମଠାରୁ ୨୫ କିଲୋମିଟର ଦୂରରେ ଏହା ଉପକୂଳ ଅତିକ୍ରମ କରିବ । ବାତ୍ୟା ଉପକୂଳ ଛୁଇଁବା ବେଳେ ପବନର ବେଗ ଘଣ୍ଟାକୁ ୭୫ ରୁ ୮୫ କିମି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପବନର ବେଗ ବଢ଼ି ଅତିବେଶୀରେ ଘଣ୍ଟା ପ୍ରତି ୯୫ କିମି ରହିପାରେ ବୋଲି ଅନୁମାନ କରାଯାଇଛି ।

ବାତ୍ୟା ଯୋଗୁଁ ରାଜ୍ୟର ୧୧ ଟି ଜିଲ୍ଲା- ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଳାହାଣ୍ଡି ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏଥିପାଇଁ ଆଜି ଏହି ୧୧ ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂ ଯୋଗେ ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ଯୋଗୁଁ ଯେପରି କାହାରି ଜୀବନହାନି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ବାତ୍ୟା ଯୋଗୁଁ ଏହି ୧୧ ଟି ଜିଲ୍ଲାରେ ଆସନ୍ତା କାଲି ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଦିନ ସ୍ଥିତିକୁ ବିଚାର କରି ଜିଲ୍ଲାପାଳମାନେ ସ୍କୁଲ୍ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ରହିବ ନା ବନ୍ଦ କରାଯିବା ଉଚିତ୍, ସେ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ବାତ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।