ସ୍ତ୍ରୀ କୁ ବିକି ସ୍ୱାମୀ ଗିରଫ : ରାଜସ୍ଥାନ ରୁ ସ୍ତ୍ରୀକୁ ଉଦ୍ଧାର କଲା ପୋଲିସ

0
246

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୩/୧୦) : ସ୍ତ୍ରୀ କୁ ବିକି ସ୍ୱାମୀ ଗିରଫ | ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଥାନା ସୁଲେକେଲା ଗ୍ରାମର ରାଜେଶ ରଣା ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲପାଉଥିଲା । ଉଭୟ ପରିବାରର ସହମତି ପରେ ରୀତିନୀତି ଅନୁସାରେ ଝିଅକୁ ବାହା ହୋଇ ଘରକୁ ଆଣିଥିଲା ରାଜେଶ ।

ହେଲେ ବିବାହର ୧୫ ଦିନ ପରେ ବୁଲିଯିବାକୁ ଡାକି ନେଇ ରାଜସ୍ଥାନରେ ଜଣଙ୍କ ପାଖରେ ଏକ ଲକ୍ଷ ଅସି (୧ଲକ୍ଷ ୮୦ହଜାର) ଟଙ୍କାରେ ସ୍ତ୍ରୀ କୁ ବିକି ଦେଇଥିବା ନେଇ ଅଭିଯୁକ୍ତକୁ ଗିରଫ ସହ ଉକ୍ତ ବିବାହିତାଙ୍କୁ ପୋଲିସ ଉଦ୍ଧାର କରିଛି । ୧ ଲକ୍ଷ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀ ଙ୍କୁ ପୂର୍ବରୁ ଯୋଜନା ବଦ୍ଧ ଭାବେ ବିକ୍ରି କରି ଦେଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୫ ତାରିଖ ଝିଅର ବାପା ଶଙ୍ଖଧର ରଣା ବେଲପଡ଼ା ଥାନାରେ ଝିଅ ନିଖୋଜ ହେବା ନେଇ ଏତଲା ଦେଇଥିଲେ । ନିଖୋଜ ମାମଲାର ତଦନ୍ତ କରୁ କରୁ ପୁଲିସ ରାଜେଶକୁ ଥାନାକୁ ନେଇ ତଦନ୍ତ କରି ସବୁ ଜାଣିପାରିଥିଲା ।

ନିଜ ସ୍ତ୍ରୀକୁ ବିକି ଦେଇଥିବା କଥା କହିବା ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍‌ ରାଜସ୍ଥାନ ମଂଜୋଲା, ଶିଫଲା କୁ ଯାଇ ସେଠାରୁ ଝିଅକୁ ଉଦ୍ଧାର କରିଥିଲା । ହେଲେ ଗାଁ ଲୋକେ ଝିଅ ଛାଡ଼ିବାକୁ ନାରାଜ ଥିଲେ । ପରେ ସେଠିକାର ପୁଲିସର ସହାୟତାରେ ଝିଅ ଉଦ୍ଧାର ହୋଇଥିଲା । ଏ ନେଇ ପୁଲିସ ରାଜେଶ ବିରୋଧରେ ଦଫା-୪୨୦, ୩୭୦, ୩୭୨ ଲଗାଇ କୋର୍ଟଚାଲାଣ କରିଛି । ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।