ପୁରୀ ର ନାମ ପରିବର୍ତ୍ତନକୁ ନେଇ କଣ ମତ ଦେଲେ ଶଙ୍କରାଚାର୍ଯ୍ୟ : ଜାଣନ୍ତୁ କ’ଣ କହିଲେ

0
310

ରିପୋର୍ଟ : ସୁଭାସିସ ନାୟକ //
ପୁରୀ,(୦୫/୧୧) : ଗତ କିଛି ଦିନ ଧରି ପୁରୀ ର ନାମ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ସଙ୍ଗଠନ ଦାବି କରି ଆସୁଥିବା ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏହା ଅନାବଶ୍ୟକ ବୋଲି କହିଛନ୍ତି ।

ସେ କହିଛନ୍ତି, ପୁରୀ ବିଶ୍ୱସ୍ତରୀୟ ସହର ହେବାକୁ ଯାଉଛନ୍ତି । ଏଣୁ ପୁରୀ ର ନାମ ବି ବିଶ୍ୱସ୍ତରୀୟ ହେଉ । ଶ୍ରୀକ୍ଷେତ୍ର, ଶ୍ରୀପୁରୁଷୋତ୍ତମ କହିଲେ ମଧ୍ୟ କେହି ବାହାରେ ବୁଝିବେ ନାହିଁ । କିନ୍ତୁ ଜଗନ୍ନାଥଙ୍କ ନାଁ ଯୋଡ଼ି ହେଲେ ସମସ୍ତେ ବୁଝିବେ ।

ଶଙ୍କରାଚାର୍ଯ୍ୟ କହିଛନ୍ତି, ‘ପୁରୀ’ ନାମ ବିଶେଷତ୍ୱ ହେଉଛି, ଏହା ପୂର୍ବରୁ ଜଗନ୍ନାଥ ନ ଲଗାଇଲେ ବି ସାରା ବିଶ୍ୱରେ ସମସ୍ତେ ଜାଣନ୍ତି ଏହା ହେଉଛି ଜଗନ୍ନାଥଙ୍କ ଧାମ । ଅଯୋଧ୍ୟାର ପ୍ରସିଦ୍ଧି ‘ଅଯୋଧ୍ୟା’ ନାଁରେ ହିଁ ରହିଛି । ସେହିଭଳି ‘ଜଗନ୍ନାଥ ପୁରୀ’ର ପ୍ରସିଦ୍ଧି ‘ପୁରୀ’ ନାଁରେ ହିଁ ରହିଛି । ପୁରୀ କହିଲେ ହିଁ ସମସ୍ତେ ବୁଝନ୍ତି, ଏହା ହେଉଛି ଜଗନ୍ନାଥଙ୍କ ଧାମ । ତେଣୁ ‘ପୁରୀ’ ଆଗରେ ‘ଜଗନ୍ନାଥ’ ଯୋଡ଼ିଲେ ଏହାର ପ୍ରସିଦ୍ଧି ବଢ଼ିବ ନା କମିବ ବୋଲି ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ଯ୍ୟ । ତା’ସହିତ ‘ପୁରୀ’ ନାଁଟି ହିଁ ଯଥେଷ୍ଟ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି, ଅଯୋଧ୍ୟାର ନାଁ ପ୍ରକୃତରେ ଅଧୋଧ୍ୟା ପୁରୀ । ସେହିଭଳି ମଥୁରାର ନାଁ ମଥୁରା ପୁରୀ । କାଶୀର ନାଁ କାଶୀ ପୁରୀ । କାଞ୍ଚିର ନାଁ କାଞ୍ଚି ପୁରୀ । ଉଜ୍ଜୟିନୀର ନାଁ ଉଜ୍ଜୟିନୀ ପୁରୀ । ଦ୍ୱାରକାର ନାଁ ଦ୍ୱାରକା ପୁରୀ ଓ ହରିଦ୍ୱାରର ନାଁ ହରିଦ୍ୱାର ପୁରୀ । ସେହିଭଳି ଅଷ୍ଟମ ପୁରୀ ହେଉଛି ଜଗନ୍ନାଥ ପୁରୀ । କିନ୍ତୁ କେବଳ ପୁରୀ କହିଲେ, ଜଗନ୍ନାଥ ଧାମକୁ ହିଁ ବୁଝାଏ । ଖାଲି ପୁରୀ କହିଲେ, କେହି ଅଯୋଧ୍ୟା ପୁରୀ, ମଥୁରା ପୁରୀ ବା କାଶୀ ପୁରୀ ବୋଲି ବୁଝନ୍ତି ନାହିଁ । ସେଥିପାଇଁ ଅଯୋଧ୍ୟା ପୁରୀ ବା ମଥୁରା ପୁରୀ ବୋଲି କହିବାକୁ ପଡ଼ିବ ।  ‘ପୁରୀ’ର ନାଁ ପରିବର୍ତ୍ତନ ନେଇ ଗତ ଶ୍ରୀମନ୍ଦିର ପରିଚାଳନା କମିଟିରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ସେହିଭଳି ଏହି ଦାବି ନେଇ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ରେଳ ଷ୍ଟେସନ ନିକଟରେ ଧାରଣା ପ୍ରଦର୍ଶନ କରାଯାଇଥିଲା ।

ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ କହିଛନ୍ତି, ଆମେ ପୁରୀର ନାମ ପରିବର୍ତ୍ତନ କରିବାକୁ ଦାବି କରିଆସୁଛୁ । ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ସହିତ ସମସ୍ତେ ଆମକୁ ସମର୍ଥନ କରୁଛନ୍ତି । ପୁରୀର ୪୨ ଟି ନାଁ ଅଛି, ଯେମିତିକି- ଶ୍ରୀକ୍ଷେତ୍ର, ଶ୍ରୀପୁରୁଷୋତ୍ତମ, ନୀଳଶୈଳ, ନୀଳାଚଳ, ନୀଳାଦ୍ରି, ବୈକୁଣ୍ଠ ପୁରୀ ଓ ଜଗନ୍ନାଥ ପୁରୀ । ଆଉ କୌଣସି ଧାମର ୪୨ ଟି ନାଁ ନାହିଁ । ପୁରୀ ଆମର ଅତିପ୍ରିୟ । କିନ୍ତୁ ପୁରୀ କହିଲେ ବାହାରେ କେହି ଜାଣୁ ନାହାନ୍ତି । କିନ୍ତୁ ‘ଜଗନ୍ନାଥ ପୁରୀ’ କହିଲେ ସମସ୍ତେ ଜାଣୁଛନ୍ତି । ତେଣୁ ପୁରୀ ସହିତ ଜଗନ୍ନାଥ ମହାପ୍ରଭୁଙ୍କ ନାଁ ଯୋଡ଼ିବାକୁ ଆମେ ଦାବି କରୁଛୁ ।