ଇ-ଜନଗଣନା ଆଗାମୀ ୨୫ ବର୍ଷ ପାଇଁ ଦେଶ ର ନୀତି ନିର୍ଦ୍ଧାରଣ କରିବ : ଗୃହମନ୍ତ୍ରୀ

0
139
ଇ-ଜନଗଣନା

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୧୧/୦୫) : ଗୃହମନ୍ତ୍ରୀ ଅମିତ ଶାହା ଏହି ବଡ଼ ଘୋଷଣା କରିଛନ୍ତି । ଆଗକୁ ହେବାକୁ ଥିବା ଇ-ଜନଗଣନା ଆଗାମୀ ୨୫ ବର୍ଷ ପାଇଁ ଦେଶ ର ନୀତି ନିର୍ଦ୍ଧାରଣ କରିବ । ଏହା ସହିତ ସମ୍ବନ୍ଧ ରଖିଥିବା ସଫ୍ଟୱେୟାର ଲଞ୍ଚ ହେବା ପରେ ସେ ଏବଂ ତାଙ୍କ ପରିବାର ସର୍ବ ପ୍ରଥମେ ଅନଲାଇନରେ ସମସ୍ତ ବିବରଣୀ ଦେବେ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଜନଗଣନାକୁ ଶତ ପ୍ରତିଶତ ସୁରକ୍ଷିତ କରିବା ପାଇଁ ଜନଗଣନା ପ୍ରକ୍ରିୟା ର ଡିଜିଟାଲକରଣ କରାଯାଇଛି । ଇ-ଜନଗଣନା ଦ୍ୱାରା ସଠିକ ଗଣନା ହୋଇପାରିବ ବୋଲି ଆସାମ ର କାମରୁପ ଜିଲ୍ଲାରେ ଜନଗଣନା ସଞ୍ଚାଳନ ନିର୍ଦ୍ଦେଶାଳୟ ଭବନ ଉଦଘାଟନ ଅବସରରେ ସଭାକୁ ସମ୍ବୋଧିତ କରି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ।

କେମିତି ହେବ ଏହି ଇ-ଜନଗଣନା ? ପୂର୍ବରୁ ହେଉଥିବା ଜନଗଣନାରେ ଅଧିକାରୀମାନେ ଆପଣଙ୍କ ଘରକୁ ଯାଇ କାଗଜପତ୍ରରେ ସମସ୍ତ ତଥ୍ୟ ଆଣୁଥିଲେ । କିନ୍ତୁ ଏବେ ମୋବାଇଲ କିମ୍ବା ଟାବଲଏଡ ନେଇ ଅଧିକାରୀ ଆପଣଙ୍କ ଘରକୁ ଯିବେ । ଆପଣଙ୍କର ଏବଂ ଆପଣଙ୍କ ପରିବାର ର ସମସ୍ତ ତଥ୍ୟ ଫିଡ କରିବେ । ତେବେ ଏଥିପାଇଁ ଦରକାର ଡକୁମେଂଟସ ଭିତରେ ରହିଛି ଆଧାର ନମ୍ବର, ପାନ ନମ୍ବର, ଭୋଟର ଆଇଡି କାର୍ଡ । ଆପଣଙ୍କୁ ଏହି ଡକ୍ୟୁମେଣ୍ଟ ଦେବାକୁ ପଡିବ ।

ସମସ୍ତ ତଥ୍ୟ ଲୋଡ ହେବାପରେ ରେଜିଷ୍ଟରଡ ମୋବାଇଲ ନମ୍ବରକୁ ଏକ ଆଇଡେନଟିଫିକେସନ ନମ୍ବର ଯିବ । ଏହି ନମ୍ବରକୁ ଘରର ରେଜିଷ୍ଟେସନ କରିବା ପାଇଁ ବ୍ୟବହାର କରାଯିବ । ଏପରି କରିବା ଦ୍ୱାରା ଆପଣଙ୍କର ଏବଂ ଆପଣଙ୍କ ପରିବାରର ସମସ୍ତ ତଥ୍ୟ ଇ-ଜନଗଣନା ପୋର୍ଟାଲରେ ସାମିଲ ହୋଇପାରିବ ।

ଆପଣ ନିଜେ ମଧ୍ୟ କାହାରିକୁ କିଛି ତଥ୍ୟ ନଦେଇ ନିଜେ ପୋର୍ଟାଲ ଖୋଲି ସେଥିରେ ଡାଟା ଏଣ୍ଟ୍ରି କରିପାରିବେ । ଏହି ଇ-ଜନଗଣନା ୧୬ ଟି ଭାଷାରେ ହେବ । ଏପରି ଜନଗଣନା ଦ୍ୱାରା ସରକାର ଦେଶ ର ମୋଟ ଜନସଂଖ୍ୟା, ଲିଙ୍ଗ ଅନୁପାତ, ଶିକ୍ଷାର ସ୍ତର, ଜାତି, ବୟସ, ଲୋକଙ୍କ ଘରର ସ୍ଥିତି ମାନେ କଚ୍ଚା ନା ପକ୍କା, ବ୍ୟବସାୟ ଆଦି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ପାଇପାରିବେ ।

ଅମିତ ଶାହା ଆହୁରି କହିଛନ୍ତି, ଜନ୍ମ ଏବଂ ମୃତ୍ୟୁ ରେଜିଷ୍ଟରକୁ ଜନଗଣନା ସହିତ ଯୋଡାଯିବ । ୨୦୨୪ ବର୍ଷ ପର୍ଯ୍ୟନ୍ତ ସବୁ ଜନ୍ମ ଏବଂ ମୃତ୍ୟୁ ର ପଞ୍ଜିକରଣ ହେବ । ଅର୍ଥାତ ଆମ ଜନଗଣନା ଆପେ ଆପେ ଅପଡେଟ ହୋଇଯିବ । ଏକ ଆପ ମାଧ୍ୟମରେ ସମସ୍ତ ତଥ୍ୟ ଜାଣିହେବ । ନୀତି ନିର୍ମାଣରେ ଇ-ଜନଗଣନା ର ମହତ୍ଵପୂର୍ଣ୍ଣ ଭୂମିକା ରହିଥାଏ । କେବଳ ଜନଗଣନା ହିଁ କହିପାରିବ ଦେଶରେ ବିକାଶ ଏବଂ ଏସସି, ଏସଟି ସ୍ଥିତି କଣ ରହିଛି । ପାହାଡ, ସହର ଏବଂ ଗାଁରେ ଲୋକଙ୍କ ଜୀବନଶୈଳି କେମିତି ରହିଛି ।