ସେନା କ୍ୟାମ୍ପରେ ଆକ୍ରମଣ ଉଦ୍ୟମ ପଣ୍ଡ : ୩ ଯବାନ ସହିଦ, ୨ ଆତଙ୍କୀ ମୃତ

0
120
ସେନା କ୍ୟାମ୍ପରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଶ୍ରୀନଗର, (୧୧/୦୮) : ଉରି ଷ୍ଟାଇଲ ଆକ୍ରମଣ କୁ ଅଳ୍ପକେ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ଜମ୍ମୁ-କଶ୍ମୀର ର ରଜୌରୀରେ ଥିବା ସେନା କ୍ୟାମ୍ପରେ ପଶି ଦୁଇ ଜଣ ଆତଙ୍କବାଦୀ ବଡ଼ଧରଣର ହମଲା କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଆତଙ୍କବାଦୀଙ୍କ ହମଲା ଉଦ୍ୟମକୁ ପଣ୍ଡ କରିବା ବେଳେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।

ସେହିପରି ଆତଙ୍କବାଦୀମାନେ ସେନା କ୍ୟାମ୍ପରେ ଆତ୍ମଘାତୀ ବିସ୍ଫୋରଣ କରିବା ପୂର୍ବରୁ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ଫଳରେ ଗୋଟିଏ ବଡ଼ଧରଣର ବିପଦ ଟଳିଥିବା ଅନୁମାନ କରାଯାଉଛି । ତଥାପି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ସହ ଅପରେସନ ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ହିଁ ଆତଙ୍କବାଦୀମାନେ ରଜୌରୀ ର ଧରହାଲ ଅଞ୍ଚଳରେ ଥିବା ପାରଗଲ ସ୍ଥିତ ଆର୍ମି କ୍ୟାମ୍ପରେ ପଶି ଆତ୍ମଘାତୀ ହମଲା କରିବାକୁ ଚେଷ୍ଟା କରିଥିଲେ । ହେଲେ ସୁରକ୍ଷାକର୍ମୀମାନେ ଏହା ଜାଣିପାରି ସେମାନଙ୍କର କଡ଼ା ମୁକାବିଲା କରିଥିଲେ । ଆତଙ୍କବାଦୀମାନେ ଆତ୍ମଘାତୀ ବିସ୍ଫୋରଣ କରିବାର ସୁଯୋଗ ପାଇ ନଥିବାରୁ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟର୍‌ରେ ଦୁଇ ଜଣ ଆତଙ୍କବାଦୀମାନେ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ବିସ୍ଫୋରକ ସାମଗ୍ରୀ ଓ ଏକେ ସିରିଜ୍‌ ରାଇଫଲ ମିଳିଛି ।

ସେହିପରି ଏହି ଆତଙ୍କୀ ବିରୋଧୀ ଅପରେସନରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଆହତ ଆଉ ୨ ଜଣ ଯବାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ପଠା ଯାଇଛି । ପୂରା ଅଞ୍ଚଳକୁ କର୍ଡନ କରି ଗାଡ଼ି ମୋଟର ଯାଞ୍ଚ ମଧ୍ୟ କରାଯାଉଛି । ବର୍ତ୍ତମାନ ସ୍ୱାଧୀନତା ଦିବସ ପାଇଁ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଥିବା ବେଳେ ଆତଙ୍କବାଦୀମାନେ ଆର୍ମି ବେସ୍‌ କ୍ୟାମ୍ପକୁ ଟାର୍ଗେଟ କରିବା ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।