ମକର ସଂକ୍ରାନ୍ତି : ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ

0
180
ମକର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୪/୦୧) : ଆଜି ପବିତ୍ର ମକର ସଂକ୍ରାନ୍ତି । ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି ।

ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ । ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅଧିବାସରେ ରଖାଯାଇଥିବା ଭୋଗକୁ ଭୋଗମଣ୍ଡପରୁ ନେଇ ଘଣ୍ଟଘଣ୍ଟା, ମୃଦଙ୍ଗ ବାଜାର ତାଳେ ତାଳେ ମନ୍ଦିର ବେଢା ପରିକ୍ରମା କରାଯିବ । ଏହାପରେ ରୋଷଶାଳରୁ ମହାଭୋଇ ମାନେ ଦହି ଆଣିବେ । ଗୁଡିଆମାନେ ଫେଣା, ଶାକର ଆଣି ମକର ଭୋଗ ପ୍ରସ୍ତୁତ କରିବେ । ଏହାସହିତ ମହାବାହୁଙ୍କ ଶ୍ରୀଚରଣରେ ବିଶ୍ୱର ସର୍ବବୃହତ ନଳୀ ପାନ ଅର୍ପଣ କରାଯିବାର ବିଧି ରହିଛି । ସେହିପରି ମକରକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉତ୍ସବ ମୁଖର ପରିବେଶ। ମକରକୁ ଗଣପର୍ବ ଭାବେ ପାଳନ କରିଥାନ୍ତି ମୟୂରଭଂଜ ଜିଲ୍ଲାର ଲୋକେ । ଏଥିପାଇଁ ଘରେ ଘରେ ପିଠାପଣାର ଆସର ।

ଏବର୍ଷ କରୋନା କଟକଣା ନଥିବାରୁ ଗାଁ ଗାଁ’ରେ ହୋଇଛି ବିରାଟ ଆୟୋଜନ । ପିଠା ପଣା ଖାଇ ମାଦଳ ବାଜାର ତାଳେ ତାଳେ ନୃତ୍ୟ କରିବାକୁ ସମସ୍ତେ ପ୍ରସ୍ତୁତ ଅଛନ୍ତି । ସେହିପରି କୁକୁଡ଼ା ଲଢେଇ ଓ ଲାଖ ବିନ୍ଧା ପ୍ରତିଯୋଗିତାରେ ଭାଗ ନେବାକୁ ଲୋକଙ୍କ ମନରେ ଉତ୍କଣ୍ଠା ଭରି ରହିଛି । ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ଅଟ୍ରିର ହଟ୍ଟକେଶରଙ୍କ ପ୍ରସିଦ୍ଧ ମକରଯାତ୍ରା ଆରମ୍ଭ ହୋଇଛି । ବିଶ୍ୱାସ ରହିଛି, ନିଃସନ୍ତାନ ମହିଳାମାନେ ମାନସିକ ରଖି ଏଠାରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜି ଖାଇଲେ ସେମାନଙ୍କର ସନ୍ତାନ ପ୍ରାପ୍ତି ହୋଇଥାଏ । ତେଣୁ ରାଜ୍ୟ ବାହାରୁ ମଧ୍ୟ ବହୁ ମହିଳା ଏଠାକୁ ଆସିଥାନ୍ତି ।