ଏସ୍.ବି.ଆଇ. କର୍ତ୍ତୃପକ୍ଷ ବେଆଇନ୍ ନିର୍ବାଚନ ଚାନ୍ଦା ତଥ୍ୟ ଲୁଚାଇବା ପାଇଁ କରୁଥିବା ଉଦ୍ୟମ ବିରୋଧରେ ବିକ୍ଷୋଭ

0
36
ଏସ୍.ବି.ଆଇ.

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୧/୩) : ଏସ୍.ବି.ଆଇ. କର୍ତ୍ତୃପକ୍ଷ ବେଆଇନ୍ ନିର୍ବାଚନ ଚାନ୍ଦା ତଥ୍ୟ ଲୁଚାଇବା ପାଇଁ କରୁଥିବା ଉଦ୍ୟମ ବିରୋଧରେ ବିକ୍ଷୋଭ ।

ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଚାନ୍ଦା ଦେବା ପାଇଁ ୨୦୧୮ ମସିହାରେ କେନ୍ଦ୍ରର ବିଜେପି ସରକାର କରିଥିବା ଇଲେକ୍‌ଟୋରାଲ୍ ବଣ୍ଡ ଆଇନ୍‌କୁ ଗତ ଫେବୃଆରୀ ୧୫ ତାରିଖରେ ଦେଶର ସର୍ବୋଚ୍ଚ ଅଦାଲତ ଖାରଜ କରି ଯେଉଁ ଐତିହାସିକ ରାୟ ଦେଇଥିଲେ ତାକୁ ବସ୍ତୁତଃ ଅକାମୀ କରିବା ଉଦ୍ଦେଶ୍ୟରେ ଏସ୍.ବି.ଆଇ. କର୍ତ୍ତୃପକ୍ଷ ମାର୍ଚ୍ଚ ୬ ତାରିଖରେ ସୁପ୍ରିମ୍‌କୋର୍ଟରେ ପିଟିସନ ଦାଖଲ କରି ସମସ୍ତ ତଥ୍ୟ ଦେବା ପାଇଁ ସେମାନଙ୍କୁ ଜୁନ୍ ୩୦ ତାରିଖ ୨୦୨୪ ପର୍ଯ୍ୟନ୍ତ ସମୟ ମାଗିବା ଘଟଣାକୁ ଇଣ୍ଡିଆ ତରଫରୁ ଘୋର ନିନ୍ଦା କରିବା ସହ ଏହିଭଳି ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ କାମର ପ୍ରତିବାଦରେ ଆଜି ଏସ୍.ବି.ଆଇ.ର ଢେଙ୍କାନାଳ ମୁଖ୍ୟ ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଉଲ୍ଲେଖଯୋଗ୍ୟ କି, ଏହି ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ୧୬ ହଜାର କୋଟି ଟଙ୍କା କାରବାର ହୋଇଛି ବେ ଏହି ଚାନ୍ଦାରୁ ପ୍ରାୟ ୮୦ ଭାଗ ଟଙ୍କା କେବଳ ବିଜେପି ଦଳ ପାଇଛି । ଏହିଭଳି ଭାବରେ ଗଣତନ୍ତ୍ରକୁ କର୍ପୋରେଟ୍ ଅଧୁନସ୍ଥ କରିବା ପାଇଁ କରାଯାଇଥୁବା ଆଇନ୍‌କୁ ବିରୋଧ କରି ଏ.ଡି.ଆର୍. ତରଫରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ପିଟିସନକୁ ଶୁଣାଣି କରି ଏହିଭଳି ଗଣତନ୍ତ୍ର ବିରୋଧୀ ଆଇନ୍‌କୁ ଖାରଜ କରିବା ସହ ୬ ମାର୍ଚ୍ଚ ୨୦୨୪ ମଧ୍ୟରେ ସମସ୍ତ କାରବାରର ତଥ୍ୟ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ଦାଖଲ କରିବେ ଏବଂ ନିର୍ବାଚନ କମିଶନ ମାର୍ଚ୍ଚ ୧୦ ତାରିଖ ଦିନଠାରୁ ସେ ସମସ୍ତ ତଥ୍ୟକୁ ଦେଶର ଜନଗଣଙ୍କ ଅବଗତି ନିମନ୍ତେ କମିଶନଙ୍କ ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଇବେ ବୋଲି ନିର୍ଦ୍ଦେଶ ଦେଇଥିଲେ ।

କାରଣ କିଏ କାହାକୁ କେତେକ ଚାନ୍ଦା ଦେଇଛନ୍ତି ଏବଂ ତା’ ବଦଳରେ କ’ଣ ଫାଇଦା ହାସଲ କରିଛନ୍ତି, ସେ ସମସ୍ତ ତଥ୍ୟ ଜାଣିବାର ଅଧିକାର ଦେଶବାସୀଙ୍କର ଏବଂ ଭୋଟରମାନଙ୍କର ରହିଛି ବୋଲି ମତ ଉଲ୍ଲେଖ କରିଥିଲେ । ସୁପ୍ରିମ୍‌କୋର୍ଟରେ ଏସ୍.ବି.ଆଇ. ତରଫରୁ କୁହାଯାଇଛି ଯେ, ଯାହା ତଥ୍ୟ ସେମାନଙ୍କ ପାଖରେ ରହିଛି ତାହା କେବଳ କାଗଜପତ୍ରରେ ରହିଛି କିନ୍ତୁ ଡିଜିଟାଲାଇଜ୍ କରାଯାଇନାହିଁ । ଯାହାକି, ଅତ୍ୟନ୍ତ ହାସ୍ୟାସ୍ପଦ ଓ ଦୁଷ୍ଟବୁଦ୍ଧି ଉପରେ ଆଧାରିତ ଅଟେ ବୋଲି ଇଣ୍ଡିଆ ତରଫରୁ କୁହାଯାଇଛି । ବିକ୍ଷୋଭକାରୀଙ୍କ ତରଫରୁ ଏକ ଦାବିପତ୍ର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚେୟାର୍‌ମ୍ୟାନ୍ ଦିନେଶ କୁମାର ଖାରାଙ୍କ ଉଦ୍ଦେଶ୍ୟ ରେ ଏସ୍.ବି.ଆଇ ଢେଙ୍କାନାଳ ମୁଖ୍ୟ ଶାଖା ପରିଚାଳକଙ୍କ ମାଧ୍ୟମରେ ପ୍ରେରଣ କରାଯାଇଛି ।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସି.ପି.ଆଇ.(ଏମ୍) ବରିଷ୍ଠ ସଭ୍ୟ ସର୍ବଜ୍ଞ ସାହୁ, ଢେଙ୍କାନାଳ ଜିଲ୍ଲା ସଂପାଦକ ରବି ରଥ, ସମତା କ୍ରାନ୍ତି ଦଳ ତରଫରୁ ରାଜ୍ୟ ସଂପାଦକ ସରୋଜ କୁମାର ଶତପଥୀ, ବରିଷ୍ଠ ଆଇନ୍‌ଜୀବୀ ମନୋରଞ୍ଜନ ପଟ୍ଟନାୟକ, ଆପ୍ ଦଳର ଜିଲ୍ଲା ଆବାହକ ପଙ୍କଜ ନାୟକ, ସଂପାଦକ ବିଷ୍ଣୁ ପଣ୍ଡା, ପରିବେଶ୍‌ବିତ୍ ଉପେନ୍ଦ୍ର ରାଉତ, ଲକ୍ଷ୍ମୀଧର ଶତପଥୀ, ଗୋବଦ୍ଧନ ପଣ୍ଡା, ପୋଷ୍ଟାଲ୍ ବରିଷ୍ଠ ନେତା ପିତବାସ, ବଳଭଦ୍ର ବେହେରା, ଆଡଭୋକେଟ୍ ସସ୍ତିକ୍ ଶତପଥୀ, ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ପ୍ରଦୀପ ସାହୁ, କଂଗ୍ରେସର ସୋସିଆଲ୍ ମିଡିଆ ସଭାପତି ଅଜେନ୍ଦ୍ର କୁମାର ସାମଲ, କୃଷକ ନେତା ଚନ୍ଦ୍ରମଣି ସାହୁ ଏବଂ ମହିଳା ପ୍ରତିନିଧୁମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।