ଜୁନାଗଡ ବ୍ଲକ ଅଧ୍ୟକ୍ଷାଙ୍କ ଦ୍ବାରା ମିଥ୍ୟା ସତ୍ୟ ପାଠ ଦାଖଲ ଅଭିଯୋଗ ନେଇ ବିଡିଓ ଙ୍କୁ ଓକିଲ ନୋଟିସ

0
28

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧୮/୦୩) : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର ବଣିଜୋରା ସମିତି ସଭ୍ୟ ଭାବେ ନାମାଙ୍କନ ଦାଖଲ ସମୟରେ ମିଥ୍ୟା ସତ୍ୟ ପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ବାର ଏସୋସିଏସନ ଓକିଲ ସୁଶୀଲ କୁମାର ପଣ୍ଡା ଜୁନାଗଡ ବିଡିଓ ଙ୍କୁ ଲିଗାଲ ନୋଟିସ ଦେଇ ସେହି ମିଥ୍ୟା ସତ୍ୟ ପାଠ ସମ୍ପର୍କରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସୂଚନା ଅଧିକାର ଆଇନ ଅନୁସାରେ ଗତ ୧୭.୦୬.୨୦୨୩ ରେ ଜୁନାଗଡ ବ୍ଲକ ରୁ ମିଳିଥିବା ନୋମିନେସନ ପତ୍ର ର ଫଟୋ କପି ଅନୁସାରେ ଶ୍ରୀମତୀ ମେହେର ଙ୍କ କୌଣସି ଶିକ୍ଷା ଗତ ଯୋଗ୍ୟତା ଉଲ୍ଲେଖ କରାଯାଇ ନ ଥିବା ବିଷୟ ଓକିଲ ଶ୍ରୀପଣ୍ଡା ଉଲ୍ଲେଖ କରିଛନ୍ତି ।

ଓଡ଼ିଶା ଗ୍ରାମ ପଂଚାୟତ ଆଇନ ୧୯୬୪ ଓ ଓଡ଼ିଶା ପଂଚାୟତ ସମିତି ଆଇନ ୧୯୫୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଆଇନ ୧୯୯୧ ର ସଂଶୋଧନ ସେକ୍ସନ ୪୫ ଅନୁସାରେ ନୋମିନେସନ ସମୟରେ ଯେଉ ପ୍ରାର୍ଥୀ ଫୌଜଦାରୀ କେସ , ସମ୍ପତ୍ତି ଓ ଋଣ ତଥା ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସଠିକ ତଥ୍ୟ ସହିତ ସତ୍ୟପାଠ ଦାଖଲ କରିବ ନାହି ତେବେ ସେହି ପ୍ରାର୍ଥୀ ଙ୍କର ନାମାଙ୍କନ ପତ୍ର ଗ୍ରହଣୀୟ ହେବ ନାହି ବୋଲି ଆଇନ ରେ ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ଶ୍ରୀମତୀ ମେହେରଙ୍କ ସମିତି ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ ସମୟରେ ନିର୍ବାଚନ ଅଧିକାରୀ ତଥା ଜୁନାଗଡ ବିଡିଓ ଅଣଦେଖା କରି ନିଜ ଦାୟିତ୍ବ ସମ୍ପନ୍ନ କର୍ତ୍ତବ୍ୟ ର ଅବହେଳା କରିଥିବା ଓକିଲ ଶ୍ରୀ ପଣ୍ଡା ଉକ୍ତ ପତ୍ର ରେ ଉଲ୍ଲେଖ କରିଛନ୍ତି ।

ସେହି କ୍ରମରେ ଜୁନାଗଡ ବିଡିଓ ଆଇନ ଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜିଲ୍ଲାପାଳଙ୍କୁ ସେହି କ୍ରମରେ ସୁପାରିଶ କରିବାକୁ ଓକିଲ ଶ୍ରୀ ପଣ୍ଡା ଅନୁରୋଧ କରିଥିବା ଜଣାପଡିଛି । ଅନ୍ୟଥା ଉଚ୍ଚ ନ୍ୟାୟାଳୟ ର ଦ୍ଵାରସ୍ଥ ହେବାକୁ ଚେତାବନୀ ଦେଇଥିବା ଜଣାପଡିଛି । ଜୁନାଗଡ ବିଡିଓ ଶ୍ରୀମତୀ ମେହେରଙ୍କ ସତ୍ୟପାଠ କୁ ନାକଚ କରିବା ବଦଳରେ ଅଣଦେଖା କରି ସମିତି ସଭ୍ଯ ନାମାଙ୍କନ ପତ୍ରକୁ ଗ୍ରହଣ କରିଦେଇଥିବା ପ୍ରକାଶ । ଜୁନାଗଡ ବ୍ଲକରେ ଏଭଳି ଅନେକ ସମିତି ସଭ୍ୟ ଓ ସରପଞ୍ଚ ନିଜ ନିଜ ନାମାଙ୍କନ ପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟ ପାଠ ଦାଖଲ କରିଥିବା ଏକ ନିର୍ଭର ଯୋଗ୍ୟ ସୂତ୍ର ରୁ ଜଣାପଡିଛି ।