ଇସ୍ତଫା ଦେବାକୁ ମନା କଲେ କେଜ୍ରିଓ୍ୱାଲ, କହିଲେ- ଜେଲ୍‌ରେ ରହି ଚଲାଇବି ସରକାର

0
67
ଇସ୍ତଫା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୩/୦୩) : ଦିଲ୍ଲୀର ତଥା କଥିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇସାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମ ଅରବିନ୍ଦ କେଜ୍ରିଓ୍ୱାଲ ।

ତେବେ ଗିରଫ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଏକ ଜନସାର୍ଥ୍ୟ ମାମଲା ରୁଜ୍ଜୁ ହୋଇଛି । ହେଲେ କେଜ୍ରିଓ୍ୱାଲ କିନ୍ତୁ ଇସ୍ତଫା ଦେବାକୁ ସଫା ସଫା ମନା କରିଦେଇଛନ୍ତି । ଏଥିସହ ଜେଲ୍‌ରେ ରହିଛି ସରକାର ଚଲାଇବେ ବୋଲି କହିଛନ୍ତି । କେଜ୍ରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆଇନଜୀବୀ ଶଶି ରଞ୍ଜନ କୁମାର ସିଂହଙ୍କ ଜରିଆରେ ସୁରଜିତ ସିଂହ ଯାଦବ ଏହି ଆବେଦନ ଦାଖଲ କରିଛନ୍ତି । ଏଥିରେ କୁହାଯାଇଛି ଯେ, ‘ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିବା ଉଚିତ ନୁହେଁ । ଏହା ସାଧାରଣ ଜନତାଙ୍କ ଦୃଷ୍ଟିରେ ଦିଲ୍ଲୀ ସରକାରଙ୍କ ବିଶ୍ୱସନୀୟତା ଏବଂ ଭାବମୂର୍ତ୍ତିକୁ ଖରାପ କରୁଛି । ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଜାୟ ରଖିବା ଅର୍ଥ ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରି । ଏହା ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥାକୁ ମଧ୍ୟ ଭାଙ୍ଗିଦେବ ।

‘ସେପଟେ କେଜ୍ରିଓ୍ୱାଲ କହିଛନ୍ତି, ‘ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ । ଆବଶ୍ୟକ ପଡିଲେ ଜେଲରୁ ସରକାର ଚଳାଇବି। ବାହାରେ ରୁହେ କି ଭିତରେ, ସରକାର ଯେଉଁଠାରେ ରହିଲେ ବି ଚଳାଇବି ।’ ଇଡି ଦ୍ୱାରା ଗୁରୁବାର ଗିରଫ ହେବାର ପରଦିନ କେଜ୍ରିଓ୍ୱାଲଙ୍କୁ ୩ ଘଣ୍ଟା ଧରି ଜେରା କରା ଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତି ଇଡି ହେପାଜତକୁ ପଠାଇଛନ୍ତି । ୧୦ ଦିନ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଥିବା ବେଳେ କୋର୍ଟ ୬ ଦିନ ପାଇଁ ଅନୁମତି ଦେଇଛନ୍ତି । କୋର୍ଟଙ୍କ ଅନୁମତି ମିଳିବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନିଜ ହେପାଜତକୁ ନେଇଛି । ଆସନ୍ତା ୨୮ ତାରିଖରେ ପୁଣି ଥରେ ରାଉଜ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହାଜର ହେବେ ।