ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଖେଳ ସାର୍‌ ଥାନାରେ ଅଟକ

0
48
ଛାତ୍ରୀଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୨୩/୦୩) : ଗଜପତି ଜିଲ୍ଲା ମୋହନା ଥାନା ବଡ଼ସିନ୍ଧବା ସ୍ଥିତ ସରକାରୀ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଖେଳ ଶିକ୍ଷକ ପ୍ରକାଶଚନ୍ଦ୍ର ଗୌଡ଼ଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଖେଳ ଶିକ୍ଷକ ପ୍ରକାଶଚନ୍ଦ୍ର ଗୌଡ଼ଙ୍କ ନାଁ’ରେ ମାମଲା ରୁଜ୍ଜୁ କରିଛି । ଖେଳ ଶିକ୍ଷକ ଶ୍ରୀ ଗୌଡ଼ ହଷ୍ଟେଲ ସୁପରିନଟେଣ୍ଡେଣ୍ଟ ମଧ୍ୟ ଅଛନ୍ତି । ଗତ ୧୩ ତାରିଖରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରକାଶଚନ୍ଦ୍ର ଗୌଡ଼ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ସେ ଘଟଣା ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ପରେ ତାଙ୍କ ପରିବାର ଲୋକ ଓ ଅନ୍ୟ କିଛି ଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲରେ ପହଞ୍ଚି ପ୍ରତିବାଦ କରିଥିଲେ । ଏହା ସହିତ ନିଜ ନିଜ ଝିଅମାନଙ୍କୁ ଘରକୁ ନେଇ ଯାଇଥିଲେ।ଗତକାଲି ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକ ପ୍ରକାଶଚନ୍ଦ୍ର ଗୌଡ଼ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।

ସଂପୃକ୍ତ ଛାତ୍ରୀଙ୍କ ବାପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ପୁଲିସ୍ ପ୍ରକାଶଚନ୍ଦ୍ର ଗୌଡ଼ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଆଜି ସକାଳେ ମୋହନା ଥାନା ଅଧିକାରୀ ଓ ବ୍ଳକ୍ ଶିକ୍ଷା ଅଧିକାରୀ ସ୍କୁଲ୍‌ରେ ପହଞ୍ଚି ଛାତ୍ରୀମାନଙ୍କୁ ପଚରାଉଚରା କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି, ଯଦି ଘଟଣାର ସତ୍ୟତା ଥିବ ତା’ହେଲେ ଦୋଷୀକୁ ଦଣ୍ଡ ମିଳିବା ଦରକାର । ସେହିପରି ବ୍ଲକ୍‌ ଶିକ୍ଷାଧିକାରୀ କହିଛନ୍ତି, ଘଟଣାର ତଦନ୍ତ ପରେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।