ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

0
32
ଯୌତୁକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୮/୦୩) : ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ, ଦିଅର ଓ ନଣନ୍ଦ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଟିଲୋ ପଞ୍ଚାୟତର କରଞ୍ଜପଡ଼ା ଗାଁ’ରେ । ମୃତ ମହିଳାଙ୍କ ନାଁ ରଶ୍ମିତା ସେଠୀ (୨୧) । ତାଙ୍କ ବାପ ଘର ଭଣ୍ଡାରିପୋଖରୀ ଥାନା କୁଲଣା ଗାଁ’ରେ । ଦୁଇ ବର୍ଷ ତଳେ ରଶ୍ମିତା କରଞ୍ଜପଡ଼ା ଗାଁ’ର ଖଗେଶ୍ୱର ସେଠୀଙ୍କୁ ବିବାହ କରିଥିଲେ । ରଶ୍ମିତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି ଯେ ବିବାହର ଦୁଇ ମାସ ଭିତରେ ସେମାନଙ୍କ ଝିଅ ଉପରେ ଆରମ୍ଭ ହୋଇ ଯାଇଥିଲା ଯୌତୁକ ନିର୍ଯାତନା । ଖଗେଶ୍ୱର ମଦ ପିଇ ରଶ୍ମିତାଙ୍କୁ ନିର୍ଯାତନା ଦେଉଥିଲେ । ଅଧିକ ଯୌତୁକ ଦାବି କରି ରଶ୍ମିତାଙ୍କୁ ତାଙ୍କ ଦିଅର, ଶାଶୁ ଓ ଭିଣୋଇ ନିର୍ଯାତନା ଦେଇ ଆସୁଥିଲେ । ଏ ସମ୍ପର୍କରେ ରଶ୍ମିତା ସେମାନଙ୍କୁ ଜଣାଇଥିଲେ।ବାରମ୍ବାର ନିର୍ଯାତନା ପାଇବା ପରେ ରଶ୍ମିତା ତାଙ୍କ ବାପ ଘରକୁ ପଳାଇ ଯାଇଥିଲେ। ବାପ ଘରେ ରଶ୍ମିତା ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ ।

ଝିଅକୁ ଧରି ବାପ ଘରେ ରଶ୍ମିତା ୧୦ ମାସରୁ ଅଧିକ ଦିନ ରହିଥିଲେ । ଏହାରି ଭିତରେ ରଶ୍ମିତା ଓ ତାଙ୍କ ସ୍ୱାମୀ ଖଗେଶ୍ୱରଙ୍କ ସହ ବୁଝାବଣା ହୋଇଥିଲା । ପରିବାର ଲୋକେ ଖୁସି ହୋଇ ରଶ୍ମିତାଙ୍କୁ ନେଇ ତାଙ୍କ ଶାଶୁ ଘରେ ଛାଡ଼ି ଆସିଥିଲେ । ଅଭିଯୋଗ ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ଖଗେଶ୍ୱର ମଦ ପିଇ ଘରକୁ ଫେରିଥିଲେ । ଏହା ପରେ ରଶ୍ମିତା ଓ ତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଖଗେଶ୍ୱର ରଶ୍ମିତାଙ୍କୁ ମାଡ଼ ମାରିଥିଲେ । ଏ ସମ୍ପର୍କରେ ରଶ୍ମିତା ତାଙ୍କ ଭଉଣୀକୁ ଫୋନ କରି ସବୁ କହିଥିଲେ । ରଶ୍ମିତାଙ୍କୁ ତାଙ୍କ ସ୍ୱାମୀ ଖଗେଶ୍ୱର ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟଵଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହା ସହିତ ଖଗେଶ୍ୱରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।