ପଞ୍ଜାବ କୁ ହରାଇଲା ଲକ୍ଷ୍ନୌ

0
68
ପଞ୍ଜାବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୩୧/୦୩) : ଚଳିତ ଆଇପିଏଲର ଏକ ମ୍ୟାଚ୍‌ରେ ଗତକାଲି ପଞ୍ଜାବ କିଙ୍ଗସ (PBKS)କୁ ୨୧ ରନ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ।

ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ କରିଥିଲା। ୨୦୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୭୮ ରନ୍ କରିଥିଲା ପଞ୍ଜାବ କିଙ୍ଗସ । ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଓପନର କ୍ୱିଣ୍ଟନ ଡି କକ୍ ସର୍ବାଧିକ ୫୪ ରନ୍ (୩୮ ବଲ୍‌, ୫ ଚୌକା, ୨ ଛକା) କରିଥିବା ବେଳେ ନିକୋଲସ ପୁରନ ୪୨ (୨୧ ବଲ୍‌, ୩ ଚୌକା ଓ ୩ ଛକା) ଓ କୃନାଲ ପାଣ୍ଡ୍ୟା ଅପରାଜିତ ୪୩ ରନ୍ (୨୨ ବଲ୍‌, ୪ ଚୌକା ଓ ୨ ଛକା) କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଏଲ୍ ରାହୁଲ ୧୫, ଦେବଦୂତ୍ତ ପଡିକ୍କଲ ୯ ଓ ମାର୍କସ ଷ୍ଟୋଇନିସ ୧୯ ରନ୍ କରିଥିଲେ ।

ପଞ୍ଜାବ କିଙ୍ଗସ ପକ୍ଷରୁ ସାମ କୁରାନ ୩ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ ୨ଟି ଏବଂ କାଗିସୋ ରାବଡା ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।୨୦୦ରନ୍‌ର ପିଛା କରିଥିବା ପଞ୍ଜାବ କିଙ୍ଗସ ଭଲ ଆରମ୍ଭ କରିଥିଲା । ଦଳ କୌଣସି ୱିକେଟ ନ ହରାଇ ୧୧ ଓଭର ବେଳକୁ ୧୦୦ ରନ୍ କରିଥିଲା। ୧୧.୪ ଓଭରରେ ଦଳ ପ୍ରଥମ ୱିକେଟ ଭାବେ ଜନ୍ନୀ ବେୟାରଷ୍ଟଙ୍କୁ ହରାଇଥିଲା। ସେ ୪୨ ରନ୍ କରି କ୍ୟାଚ୍ ଆଉଟ ହୋଇଥିଲେ । ସେ ୩ଟି ଚୌକା ଓ ୩ଟି ଛକା ମାରିଥିଲେ । ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ପ୍ରଭସିମରନ ସିଂହ ୭ଟି ବଲ୍‌ରୁ ଗୋଟିଏ ଚୌକା ଓ ୨ଟି ଛକା ସହାୟତାରେ ୧୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଜିତେଶ ଶର୍ମା ମାତ୍ର ୬ ରନ୍ କରିଥିଲେ ।

ଲିଅମ ଲିଭିଙ୍ଗଷ୍ଟୋନ୍ ଅପରାଜିତ ରହି ୧୭ଟି ବଲ୍‌ରୁ ୨ଟି ଚୌକା ଓ ୨ଟି ଛକା ସହାୟତାରେ ୨୮ ରନ୍ କରିଥିଲେ। କିନ୍ତୁ ଦଳକୁ ବିଜୟ ଦ୍ୱାର ଅତିକ୍ରମ କରାଇ ପାରି ନଥିଲେ। ସାମ କୁରେନ ଖାତା ଖୋଲି ପାରି ନଥିବା ବେଳେ ଶଶାଙ୍କ ସିଂହ ଅପରାଜିତ ୯ ରନ୍ କରିଥିଲେ। ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୮ ରନ୍ କରିଥିଲା। ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ ୩ଟି ଓ ମୋହସିନ ଖାନ ୨ଟି ୱିକେଟ୍ ନେଇଥିଲେ । ଲକ୍ଷ୍ନୌ ସୁପର ଜାଏଣ୍ଟସ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ହାରିଛି ଓ ଗୋଟିଏ ଜିତିଛି । ଅନ୍ୟପକ୍ଷରେ ପଞ୍ଜାବ ୩ଟି ମ୍ୟାଚ୍‌ରୁ ଗୋଟିଏ ଜିତି ଥିବା ବେଳେ ଦୁଇଟିରେ ହାରିଛି ।