ମଦ ନିଶାରେ ୮ ବର୍ଷର ପୁଅକୁ ପିଟି ମାରିଦେଲା ମା’!

0
25
ମଦ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୧୫/୦୪) : ମଦ ଉଜାଡ଼ି ଦେଲା ସଂସାର। ମଦ ନିଶାରେ ୮ ବର୍ଷର ପୁଅକୁ ମା’ ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।

ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଳିମେଳା ଥାନା ତୁମ୍ଭାଗୁଡ଼ା ଗାଁ’ରେ । ଶନିବାର ରାତି ପ୍ରାୟ ୧୧.୩୦ରେ ୱାଗି ପଡ଼ିଆମି ନାମକ ଜଣେ ମହିଳା ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ । ତାଙ୍କ ସ୍ୱାମୀ ମଧ୍ୟ ପ୍ରବଳ ମଦ ପିଇଥିଲେ । ୱାଗି ଘର ଭିତରେ ଶୋଇଥିବା ବେଳେ ତାଙ୍କ ସ୍ୱାମୀ ବାହାରେ ଶୋଇଥିଲେ । ଘର ଭିତରେ ୮ ବର୍ଷର ପୁଅ ମଧ୍ୟ ରହିଥିଲା । ଦିନ ବେଳା ୮ ବର୍ଷୀୟ ରୋହିତ ବୁଲିବାକୁ ଯାଇଥିବାରୁ ମା’ ୱାଗି ରାତି ବେଳା ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ । ଏପରି କି ତାଙ୍କୁ ବିଧା ଗୋଇଠା ମଧ୍ୟ ମାରିଥିଲେ । ଏହାକୁ ୱାଗିଙ୍କ ସ୍ୱାମୀ ମୁକ ପଡ଼ିଆମି ବିରୋଧ କରିଥିଲେ । କିନ୍ତୁ ଉଭୟ ଏତେ ନିଶାରେ ଥିଲେ ଯେ କିଛି ବି ଜାଣି ପାରି ନଥିଲେ । ରୋହିତ ଚିତ୍କାର କରୁଥିଲେ ମଧ୍ୟ ୱାଗି ମାଡ଼ ମାରିବା ବନ୍ଦ କରି ନେଇଥିଲେ ।

ତାଙ୍କୁ ସେ ଏମିତି ମାଡ଼ ମାରିଥିଲେ ଯେ ରୋହିତ ପୂରା ନିସ୍ତେଜ ହୋଇ ଯାଇଥିଲେ । ପୁଅ ଜୀବନ ଚାଲି ଯାଇଥିଲେ ମଧ୍ୟ ନିଶାରେ ଥିବା ମା’ ୱାଗି କିମ୍ବା ଘର ବାହାରେ ଥିବା ମୁକ ପଡ଼ିଆମି କିଛି ବି ଜାଣି ପାରି ନଥିଲେ । ଆଜି ସକାଳୁ ପୁଅ ନ ଉଠିବାରୁ ତା’ର ମୃତ୍ୟୁ ହୋଇ ସାରିଥିବା ତାଙ୍କ ବାପା ମୁକ ଜାଣିବାକୁ ପାଇଥିଲେ । ପ୍ରଥମେ ସେ ଗାଁ’ରେ ଖବର ଦେଇଥିଲେ । ଗାଁ ଲୋକଙ୍କ ନିର୍ଦ୍ଦେଶକ୍ରମେ ମୁକ ଏନେଇ କାଳିମେଳା ଥାନାରେ ଏତଲା ଦେଇଥିଲେ । ତାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ସେହିପରି ୱାଗି ପଡ଼ିଆମିଙ୍କୁ ଥାନାକୁ ଆଣି ଅଟକ ରଖିଛି ।

ତେବେ ୱାଗି କିଛି କରି ନଥିବା ସଫେଇରେ କହିଛନ୍ତି। ସେ କହିଛନ୍ତି, “ମୁଁ କିଛି ବି କରିନି। ପୁଅର ଦେହ ଭଲ ନଥିଲା । ମୁଁ ଖାଲି ତାକୁ ବାହାରେ ଅଧିକ ବୁଲୁ ଥିବାରୁ ଆକଟ କରିଥିଲି । ସେ ପାଣି ପିଇଲା ବେଳକୁ କଷ୍ଟ ହଉଥିବା କହୁଥିଲା । ତାକୁ ଆଜି ସକାଳେ ଡାକ୍ତରଖାନା ନେବି ବୋଲି କହିଥିଲି। କିନ୍ତୁ ସକାଳ ୭ଟା ବେଳକୁ ତା’ର ମୃତ୍ୟୁ ହୋଇ ଯାଇଛି ।”