ଟ୍ରକ୍‌କୁ ପିଟିଲା ଟ୍ରକ୍‌; ହେଲପର ମୃତ, ଡ୍ରାଇଭର ଗୁରୁତର

0
19
ଟ୍ରକ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୫/୦୪) : ଆଜି ଭୋରରୁ ଭୋରରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବେଲପଡା ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ଆସୁଥିବା ଏକ ଟ୍ରକ୍‌ ପିଟିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ବେଲପଡା ଛକରେ ଏକ ମାଲ ବୋଝେଇ ଟ୍ରକ ଛିଡ଼ା ହୋଇଥିଲା । ଆଜି ଭୋରରୁ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଅନ୍ୟ ଏକ ଟ୍ରକ ଯାଉଥିଲା । ବେଲପଡା ଛକରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ପିଟିଥିଲା । ଫଳରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ଘଟିଥିଲା ।

ଡ୍ରାଇଭରଜଣକ ଫସି ରହିଥିବା ବେଳେ ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଓ ବାଣପୁର ଥାନା ପୁଲିସ୍‌ ପହଞ୍ଚିଥିଲେ । ବହୁ ପରିଶ୍ରମ ପରେ କଟର ସାହାଯ୍ୟରେ ଟ୍ରକକୁ କାଟି ଗୁରୁତର ଡ୍ରାଇଭରଙ୍କୁ ବାହାର କରାଯାଇଛି । ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ହେଲପରଙ୍କ ମୃତଦେହକୁ ଟ୍ରକ୍‌ରୁ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply