ମନୀଷ ମୃତ୍ୟୁ ମାମଲା : ଆତ୍ମସମର୍ପଣ କଲେ ୨ ଯୁବକ, ପଚରାଉଚରା ଜାରି

0
247

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୩/୧୦) : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ମାମଲା ରେ ଛାନଭିନ୍‌କୁ ଜୋରଦାର କରିଛି ପୁଲିସ୍‌ । ଏହି ଘଟଣାରେ ପୁଲିସ୍‌ ଏ ଯାଏ ୫ ଜଣଙ୍କୁ ପଚରାଉଚରା ଚଳାଇଛି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ର ୨ ଜଣ ଥିବା ବେଳେ କନ୍ଧମାଳର ୩ ଜଣ ଅଛନ୍ତି ।

ମନୀଷ ମୃତ୍ୟୁ ମାମଲା ରେ ଭୁବନେଶ୍ୱରର ୨ ଜଣଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଥିବା ବେଳେ ଗତକାଲି କନ୍ଧମାଳ ଜିଲ୍ଲାର ଜଣେ ଯୁବକଙ୍କୁ ଅଟକ ରଖିଥିଲା । ଏହାପରେ ଆଜି ସକାଳେ ୨ ଜଣ ଫୁଲବାଣୀ ଟାଉନ୍‌ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ସେମାନଙ୍କୁ ପୁଲିସ୍‌ ପଚରାଉଚରା କରୁଥିବା ବେଳେ ଉଭୟଙ୍କୁ ଆଣିବାକୁ ଭୁବନେଶ୍ୱରରୁ ଏକ ଟିମ୍‌ ଯାଇଥିବା ଜଣାଯାଇଛି ।

ଏନେଇ କନ୍ଧମାଳ ଏସ୍‌ଡିପିଓ କହିଛନ୍ତି, ଭୁବନେଶ୍ୱରରୁ ଏକ ଟିମ୍‌ ଆସି ଗତକାଲି ଜଣେ ଯୁବକଙ୍କୁ ନେଇ ଯାଇଛନ୍ତି । ଆଉ ୨ ଜଣଙ୍କୁ ସେମାନେ ଖୋଜାଖୋଜି କରୁଥିବା ବେଳେ ସେମାନେ ଆଜି ସକାଳେ ଆତ୍ମସମର୍ପଣ କରିଛନ୍ତି । ଭୁବନେଶ୍ୱରରୁ ଏକ ଟିମ୍‌ ସେମାନଙ୍କୁ ପଚରାଉଚରା କରିବାକୁ ଆସୁଛି । ଆତ୍ମସମର୍ପଣ କରିଥିବା ଯୁବକଦ୍ୱୟ ହେଲେ ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ର ।

ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ମନୀଷ ପାତ୍ରପଡ଼ାସ୍ଥିତ ହୋଟେଲ ସାଉଥ୍ ସିଟିକୁ ଯାଇଥିଲେ। ଏହାପରେ ସେଠାରୁ ବାହାରି ଚାଲି ଚାଲି ଯାଉଥିବାର ଭିଡିଓ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ମୃତଦେହ ରବିବାର ଦିନ ପାତ୍ରପଡ଼ାର ଏକ ପୋଖରୀରୁ ମିଳିଥିଲା । ମନୀଷଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ କାରଣରୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ଶବ ବ୍ୟବଚ୍ଛେଦ ରିପୋର୍ଟର ପ୍ରାଥମିକ ତଥ୍ୟ ଅନୁସାରେ ଭୁବନେଶ୍ୱର ଏମ୍‌ସ ପିଆର୍‌ଓ ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି ।

ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଭଳି କୌଣସି କ୍ଷତଚିହ୍ନ ନାହିଁ । ତେବେ ମନୀଷ କିଭଳି ଶ୍ୱାସରୁଦ୍ଧ ହେଲେ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ ବୋଲି କହିଛନ୍ତି ଡାକ୍ତର ତ୍ରିପାଠୀ । ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରମାଣ ପାଇଁ ଡାଇଟମ୍, ଭିସେରା ଆଦି ଏକାଧିକ ଟେଷ୍ଟ କରିବା ପାଇଁ ନମୁନା ହାଇଦ୍ରାବାଦ ପଠାଯାଇଛି ।