୪ ଦିନ ହେଲା ନିଖୋଜ ନାବାଳିକାଙ୍କ ପତ୍ତା ମିଳୁନି, ଆଜି ଗୁଡ଼ାରୀ ବନ୍ଦ

0
131
୪ ଦିନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଗୁଣପୁର, (୧୫/୧୨) : ଘର ଆଗରେ ସନ୍ଧ୍ୟା ସମୟରେ ଖେଳୁ ଖେଳୁ ନିଖୋଜ ହୋଇଗଲେ ନାବାଳିକା । ୪ ଦିନ ହେଲା ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳୁନି ।

ଏପରି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ଗୁଡାରୀ ଥାନା ବାକିଟି ସାହିରେ ଗତ ୧୧ ତାରିଖରେ ଘଟିଥିଲା । ନିଖୋଜ ନାବାଳିକା ଜଣକ ହେଉଛନ୍ତି ବାକିଟି ସାହିର ଗୁଡଲା ଭେଙ୍କଟ ରାଓଙ୍କ ୭ ବର୍ଷୀୟା ଝିଅ ଗୁଡ଼ଲା ସାଇସ୍ଵରୂପା । ୪ ଦିନ ହେଲା ନିଖୋଜ ନାବାଳିକାଙ୍କ ପତ୍ତା ମିଳୁନଥିବାରୁ ଏହାର ପ୍ରତିବାଦରେ ଆଜି ଗୁଡାରୀ ବ୍ୟବସାୟୀ ସଂଘ ପକ୍ଷରୁ ୧୨ ଘଣ୍ଟିଆ ଗୁଡ଼ାରୀ ବନ୍ଦ ଡାକରା ଦିଆଯାଇଛି ।

ଆଜି ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି । ଏହି ସମୟରେ ଦୋକାନ ବଜାର ବନ୍ଦ ଥିବାବେଳେ ଯାନବାହନ ଚଳାଚଳ ବି ବନ୍ଦ ରହିଛି । ଫଳରେ ରାସ୍ତାଘାଟ ଖାଁ ଖାଁ ରହିଛି । ଗୁଡ଼ାରୀରେ ଥିବା ସମସ୍ତ ସ୍କୁଲ, କଲେଜ ଆଜି ବନ୍ଦ ରହିଛି ।

ସୂଚନା ଯୋଗ୍ୟ, ଗତ ୧୧ ତାରିଖ ସନ୍ଧ୍ୟା ସମୟରେ ଗୁଡ଼ଲା ସାଇସ୍ଵରୂପା ନିଜ ଘର ଆଗରେ ସନ୍ଧ୍ୟା ସମୟରେ ଖେଳୁଥିଲେ । ଏହି ସମୟରେ ବିଦ୍ୟୁତ୍‌ କାଟ ହୋଇଥିବା ବେଳେ ଲାଇନ୍‌ ଆସିବା ପରେ ଆଉ ତାଙ୍କ ପତ୍ତା ମିଳି ନ ଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ଏ ଯାଏଁ ସାଇସ୍ଵରୂପାଙ୍କ ପତ୍ତା ମିଳିପାରିନି ।