ଷ୍ଟେସନ ନାମ ସୁବର୍ଣ୍ଣପୁର ପାଇଁ ରେଳ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

7
61
ଷ୍ଟେସନ ନାମ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୧) : ଷ୍ଟେସନ ନାମ ସୁବର୍ଣ୍ଣପୁର ପାଇଁ ରେଳ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ । ସରକାରୀ ଗେଜେଟ ନୋଟିଫିକେସନ ନ. ୧୪୩୩ ତା. ୦୧.୧୧.୨୦୦୪ ମତେ ସୋନପୁର ଜିଲ୍ଲା ତଥା ସୋନପୁର ସହରର ନାମ ପରିବର୍ତ୍ତନ ହୋଇ ସୁବର୍ଣ୍ଣପୁର ହୋଇଯାଇଛି ।

ପ୍ରକାଶ ଥାଉ କି ସୋନପୁର ନାମରେ ବିହାର ରାଜ୍ୟରେ ଆଉ ଏକ ଷ୍ଟେସନ ଅଛି ଯାହା ଦୀର୍ଘତମ ପ୍ଲାଟଫର୍ମ ଭାବେ ପ୍ରସିଦ୍ଧ । ସେହି ଦୃଷ୍ଟିରୁ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ମଧ୍ୟରେ ରେଳ ଷ୍ଟେସନର ନାମ ସୋନପୁର ରହିଲେ ଭବିଷ୍ୟତରେ ରେଳଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ଅଛି । ତେଣୁ ସୋନପୁର ନାମ ପରିବର୍ତ୍ତନ କରି ଏଠାକାର ରେଳ ଷ୍ଟେସନର ନାମ ସୁବର୍ଣ୍ଣପୁର ରଖାଯିବା ପାଇଁ ଜନସାଧାରଣରେ ଦୃଢ ଦାବି ହେଉଛି । ଏତଦ୍ବାରା ସ୍ବର୍ଗତ ବିଜୁ ବାବୁଙ୍କ ସ୍ବପ୍ନ ସାକାର ହେବବୋଲି ମତ ପ୍ରକାଶ ପାଉଛି ।

ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ଗୋରେଖନାଥ ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଜରିଆରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତଟ ରେଲଓ୍ବେ ଜେନେରାଲ ମେନେଜରଙ୍କ ଦୃଷ୍ଟି ଆକର୍ଷଣ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ଦିଲ୍ଲୀପ ରଥ, ଗୋବିନ୍ଦ ମହାରଣା, କଇରୁ ସ୍ବାଇଁ, ଆର୍ତ୍ତତ୍ରାଣ ବାବୁ, ଜ୍ୟୋତି ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ନିମନ୍ତେ ଆବଶ୍ୟକ ଜମି ଯୋଗାଇ ଦେବାପାଇଁ ମଧ୍ୟ ସଂଘ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

7 COMMENTS

Comments are closed.