ଲୋଇସିଂହା-ଆଗଲପୁର ବ୍ଲକ ମିଳିତ କୃଷକ ସଂଘର୍ଷ ସମିତି ପକ୍ଷରୁ ପୁନଃ ରାଜପଥ ଅବରୋଧ ତଥା ଭୋଟ ବର୍ଜନ ଚେତାବନୀ

0
25
ଲୋଇସିଂହା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର/ଲୋଇସିଂହା, (୨୧/୦୪) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ଲୋଇସିଂହା ଓ ଆଗଲପୁର ବ୍ଲକର ୧୦ ଗୋଟି ପଞ୍ଚାୟତକୁ ଜଳସେଚନ ତଥା ଅନ୍ୟାନ୍ୟ ସୁବିଧା ଦାବିରେ କୃଷକ ସଂଘର୍ଷ ସମିତି ତରଫରୁ ପୁଣି ଥରେ ଜାତୀୟ ରାଜପଥ ଅବରୋଧ କରାଯିବା ସହିତ ଚଳିତ ସାଧାରଣ ନିର୍ବାଚନକୁ ବର୍ଜନ କରାଯିବା ସକାଶେ ଚେତାବନୀ ଦିଆଯାଇଛି ।

ଏଥି ସହିତ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ରାଜନେତାଙ୍କୁ ଗାଁ ଗୁଡିକରେ ପୁରାଇ ଦିଆଯିବ ନାହିଁ ବୋଲି କୁହାଯାଇଛି । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପାଦତଳେ ଥାଇ ମଧ୍ୟ ଆଗଲପୁର ବ୍ଲକର ନଅଗାଁ(ଖ), ବଡଟିକା, ବେନ୍ଦ୍ର।, ଝରନିପାଲି, ନୁନିଆପାଲି ଓ ଲୋଇସିଂହା ବ୍ଲକର ବୁଢ଼ିପଦର, ବୁର୍ଡ଼ା, ଯୋଗିସର୍ଡା, ବାଦିବାହାଲ, ହୀରାପୁର ପଞ୍ଚାୟତ ଜଳସେଚନ ସୁବିଧାରୁ ବଞ୍ଚିତ ରହିଛି । ଅପରପକ୍ଷେ ସୁଦୂର ସୋନପୁର ଜିଲ୍ଲାକୁ ଏହି ପ୍ରକଳ୍ପରୁ ଜଳଯୋଗାଣ ପାଇଁ ବିଭାଗୀୟ ସ୍ତରରେ ପଦକ୍ଷେପ ନିଆଯାଉ ଥିବାରୁ ସ୍ଥାନୀୟ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଗତ ଫେବୃୟାରୀ ୨୮ରେ ରୁଗୁଡିଖାଲ ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ତେବେ ସାତଦିନ ମଧ୍ୟରେ ସ୍ଥାନୀୟ ଚାଷୀଙ୍କ ଦାବିକୁ ସମାଧାନ କରାଯିବ ବୋଲି ସେତେବେଳେ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ତେବେ ଦୀର୍ଘ ଦୁଇମାସ ପରେ ମଧ୍ୟ ପ୍ରଶାସନର ପ୍ରତିଶୃତି କାର୍ଯ୍ୟକାରୀ ନ ହେବାରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ ରୁଗୁଡିଖାଲ ନିକଟରେ ଏକତ୍ରିତ ହୋଇଥିଲେ ।

କୃଷକ ସଂଘର୍ଷ ସମିତିର ଆବାହକ ଯୁଧିଷ୍ଠିର ପଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରତ୍ନାକର ମିଶ୍ର, ଶ୍ୟାମସୁନ୍ଦର ବିଶ୍ଵାଳ, କ୍ଷମାନିଧି ଦଳପତି, କଳାର ସିଂ ବାଗ, ବିଜୁଳି ପଧାନ, କୃଷ୍ଣଚନ୍ଦ୍ର ନାୟକ, ଶେଷଦେବ ପଧାନ, ସାନନ୍ଦ ସାହୁ, ରାଧାନାଥ ବିଶ୍ଵାଳ, ଜୟବିହାରୀ ବିଶ୍ଵାଳ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ସରକାରଙ୍କ ଉଦାସୀନତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏଥି ସହିତ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବା ନେଇ ଚାଷୀ ମହଲରେ ମତ ପ୍ରକାଶ ପାଇବା ସହିତ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟ ନିର୍ବାଚନ ଅଧିକାରୀ, ବଲାଙ୍ଗିର ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦିଆଯାଇଥିବା ଜଣାଯାଇଛି ।