ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୦୩/୦୮) : ଅତୀତରେ ଅବିଭକ୍ତ ବୌଦ୍ଧ କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ଓ ବିକାସମୁଖୀ ବ୍ଲକ ଥିଲା ହରଭଙ୍ଗା । ନୌବାଣିଜ୍ୟର ପେଣ୍ଠସ୍ଥଳୀ ଥିଲା । ମହାନଦୀ ତଟରେ ଅବସ୍ତିତ ଏହି ବ୍ଲକ ଡଙ୍ଗାରେ ରାଜ୍ୟରେ ବିଭିନ୍ନ ସ୍ଥାନକୁ ଏହି ଅଂଚଳରୁ ଧାନ ,ଚାଉଳ,ମୁଗ,ବିରି,ସୋରିଷ,ବୁଟ ଆଦି ବିଭିନ୍ନ କୃଷିଜାତ ଦ୍ରବ୍ୟ ସମେତ ତଲେଇ, ହାଣ୍ଡି,ମାଠିଆ,ବାଉଁଶ ଆଦି ପ୍ରେରଣ କରାଯାଉଥିଲା । ଉର୍ବରମୂର୍ତ୍ତିକା ଯୋଗୁଁ ବିପୁଳ ପରିମାଣର ଶସ୍ୟ ଉତ୍ପାଦନ ହେଉଥିଲା । ଚିରପ୍ରବହ ମାଳି,ସୁନାବ୍ୟ ମହାନଦୀ ଥିଲା । ଏହି ଅଂଚଳ ପ୍ରକୃତିର ଆଶୀର୍ବାଦ ।
ପାହାଡ ଜଙ୍ଗଲଘେରା ବ୍ଲକର ଅନ୍ୟତମ ସମ୍ପଦଥିଲା । ଲଘୁ ବନଜାତଦ୍ରବ୍ୟ ,ଗମନାଗମନ ଓ ପରିବହନ ଜନିତ ସମସ୍ୟା ଥିବା ସମୟରେ ମଧ୍ୟବ୍ୟବସାୟିକ,ବାଣିଜ୍ୟ ଦୃଷ୍ଟିରୁ ହରଭଙ୍ଗା ଥିଲା ଏକ ସମୃଦ୍ଧି ଅଞ୍ଚଳ । ଏହି ବ୍ଲକ ଦେଇ ଯାଇଥିବା ପୁରାତନ ଜଗନ୍ନାଥ ସଡକରେ ବିଭିନ୍ନ ରାଜ୍ୟର ତୀର୍ଥଯାତ୍ରୀ ଓ ସାଧୁସନ୍ଥ ମନେ ଶ୍ରୀକ୍ଷେତ୍ରକୁ ଯିବାବେଳେ ହରଭଙ୍ଗାରେ ଡେରା ପକାଉଥିଲେ ।
ତେଣୁ ସ୍ଥାନୀୟ ବ୍ୟବସାୟୀ ମାନେ ବେଶ ଉପକୃତ ହେଉଥିଲେ । ହରଭଙ୍ଗାରେ ଥିଲା ବ୍ଲକ ଅଫିସ,ସହକାରୀ କୃଷି ଅଧିକାରୀ ଅଫିସ,ରାଜ୍ୟସ୍ବ ନିରୀକ୍ଷକ ଅବକାରୀ କାର୍ଯ୍ୟାଳୟ । ମାତ୍ର ସତୁରି ଦଶକରେ ବ୍ଲକ ଅଫିସ ପ୍ରାୟ ୨୫କିଲୋମିଟର ଦୂରବର୍ତ୍ତୀ ଚାରିଛକକୁ ସ୍ଥାନାନ୍ତରିତ ହେବାପରେ ଗୋଟିକପରେ ଗୋଟିଏ ସରକାରୀ କାର୍ଯ୍ୟାଳୟ ହରଭଙ୍ଗାରୁ ଉଠିଯିବାପରେ ବସ୍ତୁତ୍ୱ ଉନୟନ କାର୍ଯ୍ୟରେ ବ୍ୟାହତ ହୋଇଛି ।
ବିକାଶ ପ୍ରକ୍ରିୟାରେ ପଡିଛି ପୂର୍ଣ୍ଣଛେଦ।ବୁଡି ଅଂଚଳ ଆଳରେ କ୍ରମେ ବ୍ଲକ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇଗଲା । ସାମାନ୍ୟ କାମ ପାଇଁ ଏକତା ବ୍ଲକ ସଦର ମହକୁମା ଥିବା ହରଭଙ୍ଗା ଓ ଏହାର ପର୍ଶ୍ୱବର୍ତୀ ଅଂଚଳର ଲୋକମାନନଙ୍କୁ ଚାରିଛକ ଧାଇଁବାକୁ ପଡୁଛି ।
ଏହି ବ୍ଲକ ଅଧିନସ୍ଥ ଅନଗ୍ରସର ପଞ୍ଚାୟତ ଗୁଡିକ ବିକାଶ ପ୍ରକ୍ରିୟାରୁ ବଂଚିତ ହୋଇଛନ୍ତି । ଏହା ସଙ୍ଗକୁ ଏକତା ହରଭଙ୍ଗା ଓ ବୌଦ୍ଧ ବ୍ଲକ ଅଧିବାସୀଙ୍କ ପାଇଁ ଜୀବନଧାରାରେ ଥିବା ମହାନଦୀର ବନ୍ୟା ସାଜିଛି ବିକାଶର ବାଧକ ।”ଚୀନର ଦୁଖ”ହୋୟାଁହୋ ନଦୀ ଭଳି ମହାନଦୀ ପାଲଟିଛି ହରଭଙ୍ଗା ଏବଂ ଏହାର ପର୍ଶ୍ୱବର୍ତୀ ଅଞ୍ଚଳଙ୍କ ବାସିନ୍ଦାଙ୍କ ପାଇଁ ଅଭିଶାପ ।
୧୯୮୨ ର ପ୍ରଳୟଙ୍କରୀ ବନ୍ୟା ଏହି ଅଂଚଳରେ ଧ୍ବଂସଲୀଳା ସୃଷ୍ଟି କରିଥିଲା ।ଏହି ଖଣ୍ଡ ପ୍ରଳୟରେ ଭାଙ୍ଗି ଯାଇଥିଲା ହରଭଙ୍ଗା ବ୍ଲକ ର ଆର୍ଥିକ ମେରୁଦଣ୍ଡ । ଏହାପରେ ବାରମ୍ବାର ପ୍ରବଳ ବନ୍ୟା ସାଙ୍ଗକୁ ନଦୀର ଶଯ୍ୟା ପରିବର୍ତନ ବ୍ଲକ ବାସୀଙ୍କୁ ଘୋର ଦୁର୍ଦସାମଧ୍ୟକୁ ଠେଲିଦେଇଛି । ସମୟ କ୍ରମେ ନଦୀ ଗତିପଥ ବଦଳିବା ସହ ଶଯ୍ୟା ପୋତି ହୋଇ ପଡ଼ିଲାଣି ।
ତେଣୁ ସାମାନ୍ୟ ବଡ ଧରଣର ବନ୍ୟା ହେଲେ ନଦୀ କୂଳଲଙ୍ଘି ତଟବର୍ତୀ ଗାଁ ଗଣ୍ଡା ଓ ଚାଷଜମିକୁ ଜଳମଘ୍ନ କରି ଦେଉଛି । ଘରଦ୍ୱାର ଭାଙ୍ଗି ଯିବା ସଂଗେ ସଂଗେ ଉର୍ବର ଜମି ସବୁ ବାଲିଚର ହୋଇଯାଉଛି । ହରଭଙ୍ଗା ପଂଚାୟତ ସହ ନଦୀ କୂଳରେ ରହିଛି ୫୫ ରାଜସ୍ବ ଗ୍ରାମ । ସେଗୁଡିକ ମଧ୍ୟରେ କୋଡାସିଙ୍ଗା,ଅତଲସରା,ମାରଡା,ତିରଡ଼ାକୁମାରୀ,ପାଣିଘରା,ହାଟଗାଁ, କରଡି,ଧଳପୁରୁ,ଖଣ୍ଡିଧଳପୁରୁ ଆଦି ଅନ୍ତର୍ଭୁକ୍ତ।ଦିନକୁଦିନ ନଦୀଶଯ୍ୟା ପୋତି ହୋଇପଡି ଥିବାରୁ ଏସବୁଗ୍ରାମ ପ୍ରତି ବିପଦ ଦେଖାଦେଇଛି ।
ନଦୀଧାର କୁଳଖାଇ ଗାଁ ମୁହାଁ ହେଲାଣି ।ସାମାନ୍ୟ ଧରଣର ବନ୍ୟା ହେଲେବି ଗାଁ ସବୁ ରହୁଛି ପାଣିଘେରରେ।ବୁଡି ଯାଉଛି ବିଲବାଡୀ ।ବନ୍ୟାଜଳ ତୁରନ୍ତ ନ ଛାଡିଲେ ବ୍ୟାପକ ଫସଲ ନଷ୍ଟ ହେଉଛି । ଚାଷୀକୁ କୁଟା ଖଣ୍ଡେ ବି ମିଳୁନାହିଁ । ଲୋକଙ୍କ ଆର୍ଥିକ ମେରୁଦଣ୍ଡ ବି ଦୁର୍ବଳ ହେଇପଡୁଛି । ପ୍ରତିବର୍ଷ ବନ୍ୟାରେ କୁଳ କ୍ଷୟ ହେଉଛି ।”ଖସୁଛି ଅତଡା”। ତେଣୁ ନଦୀ ତଟବର୍ତୀ ଗ୍ରାମ ଗୁଡିକରେ ସୁରକ୍ଷା ପାଇଁ ଆଡିବନ୍ଧ ଏକାନ୍ତ ଜରୁରୀ ହୋଇପଡିଛି ।
ଏହା କରାନଗଲେ ତଟବର୍ତୀ ଅନେକ ଗ୍ରାମ ଲୀନ ହୋଇଯିବ ମହାନଦୀ ଗର୍ଭରେ । ଏହା ଛଡା ବ୍ଲକ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇଥିବାରୁ ବିକାଶ କାର୍ଯ୍ୟରେ ବାଧା ଉପୁଜୁଛି । ଏକଦା ହରଭଙ୍ଗାରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଥିଲା । ମାତ୍ର ତାହା ହେଲା ନାହିଁ । ଅଂଚଳବାସୀଙ୍କ ଆନ୍ଦୋଳନ ସତ୍ୱେ ଅନ୍ୟତ୍ର ତାହା ପ୍ରତିଷ୍ଠା ହେଲା ।
ଦୁଇ ତିନି ବର୍ଷରେ ଥରେ ପ୍ରବଳ ବନ୍ୟା ଚାଷଜମି ନଷ୍ଟ କରିଦେଉଛି । କ୍ଷତି ପୁରାଣ ପୂର୍ବରୁ ପୁଣି ଆସିଯାଉଛି ବନ୍ୟା କିମ୍ବା ମରୁଡି ମରୁଡି ଭଳି ପ୍ରାକୃତିକ ଦୁର୍ବିପାକ । ବ୍ଲକ କାର୍ଯ୍ୟାଳୟ ଠାରୁ ଦୂରରେ ରହିଥିବା ଗ୍ରାମ ଗୁଡିକର ଅଧିବାସୀ ଉନ୍ନୟନର ସୁଫଳରୁ ବଂଚିତ ହେଉଛନ୍ତି।ମହାନଦୀ ଶଯ୍ୟା ପୋତି ହୋଇପଡିବା ଓ ଚିରସ୍ରୋତ ଅବସ୍ଥା ହରାଇବା ପରେ ଡଙ୍ଗାରେ ବ୍ୟବସାୟ ବାଣିଜ୍ୟ ବସ୍ତୁତ୍ୱ ବନ୍ଦ ହେଇଗଲାଣି । କାମଧନ୍ଦା ଅଭାବ ଏବଂ ବାରମ୍ବାର ପ୍ରାକୃତିକଦୁର୍ବିପକ ଲୋକମାନଙ୍କୁ ଗାଁ ଛାଡି ଯିବାକୁ ବାଧ୍ୟ କରୁଛି । ତେଣୁ ଏ ପରିପେକ୍ଷରେ ହରଭଙ୍ଗା ବ୍ଲକ ପୁନର୍ଗଠନ ଆବଶ୍ୟକତା ହୋଇ ପଡିଛି ।
ଏହି ବ୍ଲକ ଅଧିନସ୍ଥ ସାତୋଟି ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ କରିବାକୁ ଦାବି ହେଉଛି । ହରଭଙ୍ଗା, କୁସଙ୍ଗ,ଛତରଙ୍ଗ,ସଂକୁଲେଇ,ଧଳପୁର ତଳଗାଁ ଓ ମାହାଲିପଡାକୁ ନେଇ ସ୍ୱତନ୍ତ୍ର ବ୍ଲକ ଗଠନ କରାଗଲେ ଉନ୍ନୟନ ପ୍ରକ୍ରିୟା ତ୍ୱରାନ୍ୱିତ ହେଇପାରିବ ବୋଲି ମତ ପ୍ରକାଶ ପାଉଅଛି । ପ୍ରତିବର୍ଷ ବନ୍ୟା ଦାଉରୁ ସିକାର ହେଉଥିବା ନଦୀକୂଳିଆ ଗ୍ରାମ ଗୁଡିକର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇ ତାହା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରାଯିବାକୁ ମଧ୍ୟ ଦାବି ହେଉଛି ।